ଧରଣୀଧର ବିଶ୍ୱବିଦ୍ୟାଳୟରୁ ୨୪ ଅତିଥି ଅଧ୍ୟାପକ ଛଟେଇ

କେନ୍ଦୁଝରଗଡ଼଼: ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୨୦୧୯ ପରଠାରୁ ଅତିଥି ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଥିବା ୨୪ ଜଣଙ୍କୁ ଛଟେଇ କରାଯାଇଛି। ତେବେ ଉକ୍ତ ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଫେବୃୟାରୀ ୨୦୨୩ରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ୨୦୨୩-୨୪ ଶିକ୍ଷାବର୍ଷରୁ ବିଶ୍ୱବିଦ୍ୟାଳୟ ଭାବେ ଦାୟିତ୍ୱ ତୁଲାଇ ଆସୁଛି। ଫଳରେ ସେଠାରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିବା ୨୪ଜଣଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ନଂ ୨୨୩୧୫ ତା ୫/୬/୨୦୨୪ରିଖ ଅନୁଯାୟୀ ଛଟେଇ କରାଯିବା ଫଳରେ ଅସନ୍ତୋଷ ଦେଖାଦେଇଛି।

ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ପ୍ରାଧ୍ୟାପକ, ସହଯୋଗି ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ମିଶାଇ ମୋଟ ୧୧୦ଟି ଅତିଥି ଅଧ୍ୟାପକ ପଦ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶନ ସହ ଚୟନ ପ୍ରକ୍ରିୟା ଶେଷ ହୋଇ ୭୦ଜଣଙ୍କୁ ନିଯୁକ୍ତି ଆଦେଶ ମଧ୍ୟ ପ୍ରଦାନ କରାଯାଇଛି। ତେବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅତିଥି ଅଧ୍ୟାପକ ପଦ ଚୟନରେ ଅନିୟମିତତା ହୋଇଥିବା ଏବଂ ତାଙ୍କୁ କାହିଁକି ଚୟନ କମିଟିରେ ସାମିଲ କରାଗଲା ନାହିଁ ବୋଲି ବିଶ୍ୱବିଦ୍ୟାଳୟର ଜଣେ ସହକାରୀ ପ୍ରାଧ୍ୟାପିକା ଶୁକ୍ରବାର କୁଳପତିଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଅଭିଯୋଗ ପାଇବା ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଶନିବାର ସ୍ନାତକୋତ୍ତର ପରିଷଦ ସଭାକକ୍ଷରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ଚୟନ କମିଟିରେ ସାମିଲ ସମସ୍ତ ଅଧ୍ୟାପକଙ୍କୁ ନେଇ ଏକ ବୈଠକ ଡକାଇଥିଲେ। ଉକ୍ତ ବୈଠକରେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାବଳୀ ଅନୁଯାୟୀ ଅତିଥି ଅଧ୍ୟାପକ ଚୟନ କରାଯାଇଥିବା ବେଳେ ଏଥିରେ କୌଣସି ବ୍ୟତିକ୍ରମ ହୋଇନଥିବା କୁଳପତି ପ୍ରଫେସର ମହାନ୍ତି ସ୍ପଷ୍ଟ କରିଥିଲେ। ଏଥିସହ ଖାଲି ପଡ଼ିଥିବା ୪୦ ଅତିଥି ଅଧ୍ୟାପକ ପଦ ପୁରଣ ନିମନ୍ତେ ପୁଣିଥରେ ବିଭାଗୀୟ ଅନୁମତି ଲୋଡାଯିବାକୁ ପ୍ରସ୍ତୁତି ଶେଷ ହୋଇଥିବା କୁଳପତି ପ୍ରଫେସର ମହାନ୍ତି ସମସ୍ତଙ୍କୁ ଅବଗତ କରିଥିଲେ। ସେହିଭଳି ଚୟନ କମିଟିରେ ସମ୍ପୃକ୍ତ ସହକାରୀ ଅଧ୍ୟାପିକାଙ୍କୁ ସାମିଲ କରାନଯିବା ସମ୍ପର୍କରେ କୁଳପତି ପ୍ରଫେସର ମହାନ୍ତି କହିଛନ୍ତି କି ଜଣେ ସହକାରୀ ପ୍ରାଧ୍ୟାପିକା କିଭଳି ଭାବେ ପ୍ରଫେସର ଓ ସହଯୋଗି ପ୍ରଫେସର ପଦ ଚୟନ କରିବେ ତାହା ନିୟମର ବରୁଦ୍ଧାଚରଣ ଦର୍ଶାଇ ତାଙ୍କୁ ଉକ୍ତ ଚୟନ କମିଟିରେ ସାମିଲ କରାଯାଇନଥିବା ସ୍ପଷ୍ଟ କରିଛନ୍ତି। ଉକ୍ତ ବୈଠକ ଶେଷ ହେବାପରେ ଛଟେଇ ହୋଇଥିବା କେତେକ ଅତିଥି ଅଧ୍ୟାପକ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ କାର୍ଯ୍ୟାଳୟରେ ପଶି ହୋହାଲ୍ଲା କରିବା ସମ୍ପର୍କରେ କୁଳପତି ଅବଗତ ହେବାପରେ ଜିଲାପାଳ ଓ ଏସ୍‌‌.ପି.ଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ବିଶ୍ୱବିଦ୍ୟାଳୟ ପରସିରରେ ପୁଲିସବାହିନୀ ପହଞ୍ଚିବାରୁ ଶେଷରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Comments are closed.