ପ୍ରଦର୍ଶିତ ହେଲା ଓଡ଼ିଶାର ବହୁ ବରିଷ୍ଠ ଶିଳ୍ପୀଙ୍କ ଚିତ୍ରକଳା

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ବଲାଙ୍ଗିର ଜିଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀକୁ ବଲାଙ୍ଗିର ଉପଜିଲ୍ଲାପାଳ ଉଦଘାଟନ କରିଛନ୍ତି। ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ, ଅନ୍ୟ ଶିଳ୍ପୀ ତଥା ଛାତ୍ରଛାତ୍ରୀମାନେ ଦେଖିବାର ସୁଯୋଗ ପାଇପାରିବେ ଏବଂ ରାଜ୍ୟର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏକ ପ୍ରୟାସ କରାଯାଉଛି।

ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ର ଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ, ମୁରଲୀଧର ଟାଲି, ଗୋପାଳ କାନୁନଗୋ, ନିତ୍ୟାନନ୍ଦ ମହାପାତ୍ର, ଦୁର୍ଗାପ୍ରସାଦ ଦାସ, ଗୋକୁଳନନ୍ଦ ଦାସ, ଦୀପ୍ତିପ୍ରକାଶ ମହାନ୍ତି, ସରୋଜ କୁମାର ମାହାପାତ୍ର, ଭାଗବତ ମହାରଣା ଓ ବିଜୟ କୁମାର ପରିଡା ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କର ମୋଟ ୪୦ଟି ଚିତ୍ରକଳା ସ୍ଥାନ ପାଇଛି। ଉଦ୍‌ଘାଟନୀ ଉତ୍ସବ ଅବସରରେ ଏକାଡ଼େମୀର କାର୍ଯ୍ୟକାରୀ ସଦସ୍ୟ ଶ୍ୟାମସୁନ୍ଦର ମେହେର, ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ସରୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରଦର୍ଶନୀ ୩ ଡିସେମ୍ବର ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୫.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଏକାଡେମୀର ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.