ବିନା ଅସ୍ତ୍ରୋପଚାରରେ ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ୍‌ କର୍କଟର ଚିକିତ୍ସା

ଭୁବନେଶ୍ବର: ପ୍ରାରମ୍ଭିକ ଅବସ୍ଥାରେ ଥିବା ଗ୍ୟାଷ୍ଟ୍ରିକ୍ କର୍କଟ ଏଣ୍ଡୋସ୍କୋପି ପଦ୍ଧତିରେ ବାହାର କରାଯାଇଛି। ସହିଦନଗରସ୍ଥିତ ସାଇ ଇନ୍‌‌ଷ୍ଟିଚ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିକୁ ଏହି ସଫଳତା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଣେ ୩୪ ବର୍ଷୀୟ ମହିଳା ଗ୍ୟାସ୍‌ ସମସ୍ୟା ନେଇ ଯକୃତ ଓ ପେଟରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ରଙ୍କୁ ଦେଖାଇବାକୁ ଆସିଥିଲେ। ଡା.ମହାପାତ୍ର ଏଣ୍ଡୋସ୍କୋପି ପରୀକ୍ଷା କରିବା ପରେ ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ୍ କର୍କଟ ବୋଲି ନିରୂପଣ କରିଥିଲେ। ବାୟୋପ୍‌ସି ପରେ ଡା. କୃଷ୍ଣଚନ୍ଦ୍ର ପାଣି ଏହାକୁ ପ୍ରାରମ୍ଭିକ ଗ୍ୟାଷ୍ଟିକ୍‌ କର୍କଟ ବୋଲି କହିଥିଲେ। ଏହାର ଆକାର ୮ ମି.ମି ଥିଲା। ଡା.ସୋନମୁନ ମହାପାତ୍ର ତାହାକୁ ଇଏସ୍‌ଡି ପଦ୍ଧତିରେ ସମ୍ପୂର୍ଣ୍ଣ ଭାବେ ପାକସ୍ଥଳୀରୁ କର୍କଟକୁ ବାହାର କରିଥିଲେ। ଏହାଦ୍ବାରା ବଡ଼ ଅସ୍ତ୍ରୋପଚାରକୁ ଏଡ଼ାଇ ଦିଆଯାଇପାରିଲା, ପାକସ୍ଥଳୀ ବାହାର କରିବାକୁ ପଡ଼ିନଥିଲା। ଡା. ସୋନମୁନ କହିଛନ୍ତି, ଆଗାମୀ ଦିନରେ ବହୁସଂଖ୍ୟକ ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ୍ କର୍କଟ ଏହି ପଦ୍ଧତିରେ ନିରୂପଣ ହୋଇପାରିବ। ଇଏସ୍‌ଡି ପଦ୍ଧତିରେ ତାହା ବାହାର କରିବା ଭଲ ପଦ୍ଧତି। ଡା. ଆଶୁତୋଷ କହିଛନ୍ତି, ଦଳଗତ କାର୍ଯ୍ୟ ସବୁଠୁ ଉପଯୋଗୀ।

ଏହି ପ୍ରକ୍ରିୟାକୁ ଏଆଇଜିର ଏଣ୍ଡୋସ୍କୋପି ନିର୍ଦେଶକ ଡା. ମୋହନ ରାମଚନ୍ଦାନି ମଧ୍ୟ ପ୍ରଶଂସା କରିଛନ୍ତି।

Comments are closed.