www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରବାସୀ ଶ୍ରମିକ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ଦାଖଲ କଲେ ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ: କରୋନା ଲକଡ଼ାଉନରେ ପ୍ରଭାବିତ ପ୍ରବାସୀ ଶ୍ରମିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ତରଫରୁ ଦାଖଲ ରିପୋର୍ଟରେ କୁହାଯାଇଛି ଯେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ଏବଂ ଓଡ଼ିଶାରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ନିଜ ଭିଟାମାଟିରେ ପହଞ୍ଚାଇବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ବିଶେଷ କରି ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଶ୍ରମିକ ସହାୟତା କଲ ସେଣ୍ଟର ସ୍ଥାପନ କରାଯାଇ ହେଲପଲାଇନ ନମ୍ବର ଓ ହ୍ୱାଟସଆପ ନମ୍ବର ଜାରି ହୋଇଛି। ସେହିପରି ପ୍ରବାସୀଙ୍କୁ ସହାୟତା କରିବାକୁ ନୋଡାଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ଓଡ଼ିଶା ମଧ୍ୟ ଦେଇ ଅନ୍ୟ ରାଜ୍ୟକୁ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ୩୬୭ଟି ବସ ମାଧ୍ୟମରେ ୧୬,୧୭୬ ଜଣଙ୍କୁ ରାଜ୍ୟ ସୀମା ପର୍ଯ୍ୟନ୍ତ ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି। ସେହିପରି ମଇ ୨୫ ସୁଦ୍ଧା ଓଡ଼ିଶାରେ ଫସି ରହିଥିବା ୪୨,୯୮୯ ଜଣ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ଏବେ ୧୬ଟି କ୍ୟାମ୍ପରେ ମାତ୍ର ୨୧୧ ଜଣ ଅନ୍ୟ ରାଜ୍ୟର ଶ୍ରମିକ ଅଛନ୍ତି। ରାଜ୍ୟରେ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ସମୁଦାୟ ୨୫୮ କୋଟି ରାଶି ବଣ୍ଟନ କରାଯାଇଛି। ଏଥିରେ ୧୭.୨୦ ଲକ୍ଷ ନିର୍ମାଣ ଶ୍ରମିକ ଉପକୃତ ହୋଇଛନ୍ତି ବୋଲି ଓଡ଼ିଶା ସରକାରଙ୍କ ତରଫରୁ ଦର୍ଶାଯାଇଛି। ମଇ ୨୬ ସୁଦ୍ଧା ୧୨୧ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ୧,୭୨,୩୮୭ ଜଣ, ବସରେ ୧,୩୪,୪୧୯ ଜଣ ଏବଂ ଅନ୍ୟାନ୍ୟ ଗାଡ଼ିରେ ୩୩,୨୨୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ସେହିପରି ପ୍ରବାସୀଙ୍କ ପାଇଁ ୧୭,୫୫୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି) ସ୍ଥାପନ କରାଯାଇ ୮,୦୬,୬୦୧ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ମଇ ୨୫ ସୁଦ୍ଧା ଟିଏମସିରେ ସମୁଦାୟ ୩,୬୩,୨୭୯ ଜଣଙ୍କ ରହଣୀ ବ୍ୟବସ୍ଥା କରାଯାଇ ଥିଲା। ଶ୍ରମିକ ସ୍ପେଶାଲ ଟ୍ରେନ ଟିକେଟ ଅଂଶ ବାବଦରେ ୫.୫ କୋଟି ଟଙ୍କା ଭାରତୀୟ ରେଳକୁ ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି। ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ତରଫରୁ ଆଡଭୋକେଟ ଶିବ ଶଙ୍କର ମିଶ୍ର ମାମଲା ପରିଚାଳନା କରୁଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories