ଭୁବନେଶ୍ୱର: କର୍ମଚାରୀଙ୍କୁ ଠିକ୍ ସମୟରେ ପଦୋନ୍ନତି ଦେଇ ଖୁସି କରିବା ଏବଂ ପଦୋନ୍ନତି ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଡିସେମ୍ବରରୁ ଏକ ପଦୋନ୍ନତି ଅଦାଲତ ଭଳି ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି। ୫-ଟି ନୀତି ଆଧାରରେ ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀ ଯେଭଳି ସେମାନଙ୍କ ନ୍ୟାଯ୍ୟ ହକ୍ ଠିକଣା ସମୟରେ ପାଇବେ ସେଥିପାଇଁ ମୁଖ୍ୟଶାସନ ସଚିବ ଓ ୫ଜଣ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ନେଇ ବର୍ଷକୁ ଦୁଇଥର ପଦୋନ୍ନତି କମିଟିବସୁଛି। ଯେଉଁମାନେ ସରକାରରେ ଭଲ କାର୍ଯ୍ୟ କରିବେ ତାଙ୍କୁ ଆଗୁଆ ପଦୋନ୍ନତି ଏବଂ ଯେଉଁମାନେ ଖରାପ କାର୍ଯ୍ୟ କରୁଥିବାର ପ୍ରମାଣିତ ହେବ ସେମାନଙ୍କୁ ବହିଷ୍କାର ଭଳି ପଦକ୍ଷେପ ନିଆଯିବାପାଇଁ ସରକାର ବାରମ୍ବାର ଚେତାଉଛନ୍ତି। ହେଲେ ଏସବୁ ଲୋକଦେଖାଣିଆ ବୋଲି ବରିଷ୍ଠ ଓଏଏସ ଅଧିକାରୀମାନେ ଅଭିଯୋଗ କରୁଛନ୍ତି। ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ମାସକ ତଳୁ ଓଏଏସରୁ ଆଇଏଏସକୁ ପଦୋନ୍ନତି ଲାଗି ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଅବଗତ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ତା’ ଉପରେ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ଅନ୍ୟପକ୍ଷରେ କନିଷ୍ଠ ଅଧିକାରୀମାନଙ୍କୁ ପଦୋନ୍ନତି ଦେବାପରେ ସେମାନଙ୍କ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବାରୁ ରାଜ୍ୟ ମୁଖ୍ୟଦପ୍ତରର ବହୁ ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ କେବଳ କାଗଜପତ୍ରରେ ପଦୋନ୍ନତି କରୁଛି ବୋଲି ଅଧିକାରୀମାନେ ଅଭିଯୋଗ କରୁଛନ୍ତି।
ଅଭିଯୋଗ ଅନୁଯାୟୀ, ରାଜ୍ୟରେ ବରିଷ୍ଠ ଓଏଏସରୁ ଆଇଏଏସ ପାଇବା ପାଇଁ ୨୧ଟି ପଦ ଖାଲି ରହିଛି। ଏଥିପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ସେପ୍ଟେମ୍ବରରେ ମୁଖ୍ୟଶାସନ ସଚିବଙ୍କୁ ଅଧିକାରୀମାନଙ୍କ ତାଲିକା ମଗା ଯାଇଛି। ନିୟମ ଅନୁଯାୟୀ ସେମାନଙ୍କ ପଦୋନ୍ନତି ପ୍ରକ୍ରିୟା ସେପ୍ଟେମ୍ବର ସୁଦ୍ଧା ଶେଷ ହେବା କଥା, ମାତ୍ର ଏପର୍ଯ୍ୟନ୍ତ ପ୍ରକ୍ରିୟା ଟିକିଏ ହେଲେ ବି ଆଗେଇ ନାହିଁ। ଯାହାଫଳରେ ୨୧ଜଣ ଆଶାୟୀ ଓଏଏସ୍ ସେମାନଙ୍କ ନ୍ୟାଯ୍ୟ ହକ୍ରୁ ବଞ୍ଚିତ ରହିଛନ୍ତି। ଅନ୍ୟପକ୍ଷରେ ଓଟାସରେ କାର୍ଯ୍ୟରତ ବହୁ ଅଧିକାରୀ ଦୀର୍ଘଦିନ ଧରି ସରକାରଙ୍କଠାରେ ପଦୋନ୍ନତି ଓ କ୍ୟାଡର ପୁନଃଗଠନ ଲାଗି ମୁଣ୍ଡ ପିଟୁଥିଲେ ବି ସାଧାରଣ ପ୍ରଶାସନ ବିଭାଗ ତାଙ୍କ କଥା ଶୁଣୁନାହିଁ ବୋଲି ଓଟାସ ଅଧିକାରୀମାନେ ଅଭିଯୋଗ କରିଛନ୍ତି। ତେବେ କଥା ଏହିିଠାରେ ଶେଷ ହୋଇନାହିଁ ଗୃହବିଭାଗ ପକ୍ଷରୁ ସେପ୍ଟେମ୍ବରରେ ରାଜ୍ୟ ମୁଖ୍ୟଦପ୍ତରରେ ୧୯୨ଜଣ ଏସଓ ବର୍ଗଙ୍କୁ ଏଷ୍ଟାବ୍ଲିସମେଣ୍ଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। କିନ୍ତୁ ଗୃହ ବିଭାଗ ପକ୍ଷରୁ ପଦୋନ୍ନତି ପରେ ଯେଉଁ ସ୍ଥାନରେ ନିଯୁକ୍ତି ଦିଆଯାଇଛି ତାକୁ ଶିକ୍ଷା ବିଭାଗରେ ଠିକଣା ଭାବେ ପାଳନ କରାଯାଉନି। ତେଣୁ କେତେକ ଅଧିକାରୀ ସରକାରଙ୍କ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଅନ୍ୟପକ୍ଷରେ ଚଳିତମାସ ୭ରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ସବୁ ବିଭାଗ ମୁଖ୍ୟଙ୍କୁ ସେମାନଙ୍କ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ପଦୋନ୍ନତି ଫାଇଲ ପ୍ରକ୍ରିୟା ଶେଷ କରି ସରକାରଙ୍କୁ ଅବଗତ କରାଇଛନ୍ତି। ଏହାବ୍ୟତୀତ କେତେ କର୍ମଚାରୀ ଓ ଅଧିକାରୀ ଅବସର ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି ତାହାର ରିପୋର୍ଟ ଦେବାକୁ କୁହାଯାଇଛି। ତେବେ କୌଣସି ବିଭାଗ ପକ୍ଷରୁ ଏସଂକ୍ରାନ୍ତୀୟ ତଥ୍ୟ ସେପ୍ଟେମ୍ବର ୨୫ ସୁଦ୍ଧା ସରକାରଙ୍କ ହସ୍ତଗତ ହୋଇନଥିବା ଜଣାଯାଇଛି। ସେହିପରି କେଉଁ କର୍ମଚାରୀ ଓ ଅଧିକାରୀ ତାଙ୍କର ଦକ୍ଷତା ପ୍ରମାଣ କରିଛନ୍ତି ଏବଂ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଆଗତୁରା ପଦୋନ୍ନତି ଦିଆଯିବ ତା’ର ମଧ୍ୟ ତଥ୍ୟ ଜଣାଇବାକୁ ଶ୍ରୀ ଚୋପ୍ରା ବିଭାଗୀୟ ମୁଖ୍ୟଙ୍କଠାରୁ ରିପୋର୍ଟ ଲୋଡିଛନ୍ତି। ଆସନ୍ତା ନଭେମ୍ବରରେ ଡିପିସି ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏହାପୂର୍ବରୁ ସମସ୍ତ ଆବେଦନ ଓ ଶୁଣାଣି ପ୍ରକ୍ରିୟା ଚୂଡାନ୍ତ କରିବା ଲାଗି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଚଳିତମାସ ୧୬ରେ ଏକ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜଣାଯାଇଛି।



