୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର

ଡେସ୍କ: ସାରା ରାଜ୍ୟରେ ୧୦ ଦଫା ଦାବୀ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ନର୍ସିଂ ଅଫିସର। ଆଜି ଦ୍ଵିତୀୟ ଦିନରେ କଟକ ଏସସିବିରେ ଆନ୍ଦୋଳନରେ ବସିଥିବା ଏକ ହଜାର ନର୍ସିଂ ଅଫିସରଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ ଓ ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ବାଳ। ଉଭୟ ସରକାରଙ୍କ ଆଭିମୁଖ୍ୟ ଓ ଟାଳଟୁଳ ନୀତିକୁ ନିନ୍ଦା କରିବା ସହ ସରକାର ତୁରନ୍ତ ଏ ନେଇ ସମାଧାନର ବାଟ କାଢିବାକୁ ଦାବୀ କରିଛନ୍ତି। ନଚେତ ରୋଗୀ ସେବା ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଲେ ସରକାର ଦାୟୀ ରହିବେ।

ଗତକାଲି ଠାରୁ ନର୍ସିଂ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯାହାକୁ ନେଇ ଏସସିବି ମେଡିକାଲରେ ପ୍ରଭାବିତ ହେଉଛି ରୋଗୀ ସେବା। ଜରୁରୀକାଳୀନ ସେବା ବନ୍ଦ କରିବା ପରେ ଏସସିବିର ସମସ୍ତ ବିଭାଗରେ ବ୍ୟାହତ ହୋଇଛି ରୋଗୀ ସେବା। ଏହି ବିବାଦକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ତୀଵ୍ରତର କରିଛନ୍ତି। ମହମ୍ମଦ ମୋକିମଙ୍କ ମତରେ ରାଜ୍ୟରେ ରୋଗୀ ସେବା ବ୍ୟାହତ ହେବା ପାଇଁ ରାଜ୍ୟ ସରକାର ଦାୟୀ। କାହିଁକି ନା ଆଜିକୁ ୪ ଦିନ ହେବ ନିଜର ହକ ଓ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି ସମସ୍ତ ନର୍ସ। ଯାହାକୁ ନେଇ ରୋଗୀମାନେ ହସ୍ତସନ୍ତ ହେଉଛନ୍ତି। ମେଡିକାଲରେ ଚିକିତ୍ସା ଦିଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ହେଲେ ଏହାକୁ ଆଉ ଶଯ୍ୟା କରାଯିବ ନାହିଁ ବୋଲି କହିଛନ୍ତି ମୋକିମ। ଯଦି ଏହି ଦିଗରେ ସରକାର କିଛି ତ୍ୱରିତ ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ମୋକିମ। ଅନ୍ୟପଟେ ବିଧାୟକ ମଧ୍ୟ ଏହି ବିଷୟରେ ସରକାରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ନର୍ସିଂ ସଂଘ ସମ୍ପାଦିକାଙ୍କ ମତରେ ରାଜ୍ୟ ସରକାର ନର୍ସ ମାନଙ୍କୁ ନେଇ ଅଣଦେଖା କରୁଛନ୍ତି। ଏସମା ଲଗାଇ ସରକାର ଯେଉଁ ଡ଼ରେଇବା ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ଆମ ସଂଘର ଯେତିକି କ୍ଷତି ହେବ ତାହା ତୁଳନାରେ ରୋଗୀ ମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଏହି ଘଟଣା ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବାକୁ ସେ ଦାବି କରିଛନ୍ତି।

Comments are closed.