କାମାକ୍ଷାନଗର: କାମାକ୍ଷାନଗର ଏନଏସି ଅନ୍ତର୍ଗତ ୧ନଂ ଓ୍ବାର୍ଡ ସାନଇନ୍ଦିପୁର ଗାଁରେ ସରକାରୀ ଜମିରୁ ଘର ଉଚ୍ଛେଦ ପ୍ରତିବାଦରେ ଗାଁର ବିପିନ ନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ବିପିନ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିବା ସମୟରେ ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଉଦ୍ଧାର କରିଥିଲେ।
ବିପିନି ଏକ ସରକାରୀ ଜମିରେ ଘର କରି ରହି ଆସୁଥିବା ବେଳେ ଏ ସଂକ୍ରାନ୍ତରେ ଉଚ୍ଚ ନ୍ୟାୟାଳୟରେ ମାମଲାର ବିଚାର କରାଯାଇ ଉଚ୍ଛେଦ କରିବାକୁ ନିର୍ଦେଶ ଆସିଥିଲା। ଏହି ନିର୍ଦେଶ ଅନୁଯାୟୀ ପ୍ରଶାସନ ପକ୍ଷରୁ ଶୁକ୍ରବାର ଉଚ୍ଛେଦ ହେବା ପରେ ଏହାକୁ ବିରୋଧ କରି ବିପିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ଲୋକ ଏବଂ କର୍ମଚାରୀମାନେ ତାଙ୍କୁ ବାରଣ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଯୁବକଙ୍କୁ କାବୁ କରିବା ସହିତ ବୁଝାଶୁଝା କରିଥିଲା।



