ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ମଧ୍ୟରେ ସେବିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ତ୍ବରାନ୍ବିତ କରିବା ଲାଗି ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ମଧ୍ୟରେ ସେବିକା ଅଧିକାରୀ (ନର୍ସିଂ-ଅଫିସର)ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟରେ ଖାଲି ଥିବା ପଦ ପୂରଣକୁ ଗୁରୁତ୍ବ ଦିଆଯାଉଛି। ଖାଲିଥିବା ଅନ୍ୟ ପଦରେ ସେବିକା ନିଯୁକ୍ତି ଲାଗି ନିର୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ନର୍ସିଂ ନିର୍ଦେଶକ ଡା.ରାମଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।
ସେବିକା ନିର୍ଦେଶାଳୟରେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ୨୦୩ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଡା. ରାଉତ କହିଛନ୍ତି ଯେ, ରାଜ୍ୟରେ ୨୯ ହଜାର ସେବିକା ଅଧିକାରୀ ପଦ ମଧ୍ୟରୁ ଏବେ ୧୬ ହଜାର ସେବିକା କାର୍ୟ୍ୟରତ ଥିବାବେଳେ ଦୁଇଦିନ ତଳେ ୨୬୨ ସେବିକାଙ୍କୁ ନିୟମିତ କରାଯାଇଛି। ଏହାବାଦ୍ ଖୁବଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ୭୪୮୩ ନର୍ସିଂ ଅଫିସର (ସେବିକା ଅଧିକାରୀ) ପଦ ପୂରଣ କରାଯିବ ସେଥିପାଇଁ ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗଙ୍କୁ ପତ୍ର ଲେଖାଯାଇଛି। ଆୟୋଗଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ ହୋଇସାରିଛି।
ଏଥିଲାଗି ଅର୍ଥ ବିଭାଗର ଅନୁମୋଦନ ରହିଛି। ଏହାବାଦ୍ ବିଭାଗ ପକ୍ଷରୁ କମ୍ୟୁନିଟି ହେଲଥ ଅଫିସର (ସିଏଚ୍ଓ)ଙ୍କ ତାଲିମ ଭଳି ଆଉ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କଟକସ୍ଥିତ ଏସସିବି, ବ୍ରହ୍ମପୁରସ୍ଥିତ ଏମ୍କେସିଜିରେ ତାଲିମ କାର୍ୟ୍ୟକ୍ରମ ଜାରି ରହିଛି। ପରବର୍ତ୍ତୀ ପର୍ୟ୍ୟାୟରେ ଏହି କାର୍ୟ୍ୟକ୍ରମ ବୁର୍ଲାସ୍ଥିତ ‘ଭିମ୍ସାର’ରେ ସାମିଲ କରାଯିବ। ଆସନ୍ତା ୫ବର୍ଷ ଲାଗି ଗୋଟିଏ ଲେଖାଏଁ ବ୍ୟାଚରେ ୩୦ ଜଣ ସେବିକାଙ୍କୁ ୬ଜଣ ଲେଖାଏଁ ଶିକ୍ଷକ ପ୍ରଶିକ୍ଷଣ ଦେବେ। ଏହାଦ୍ବାରା ରାଜ୍ୟବାସୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ମିଳିପାରିବ।
ବିଭାଗୀୟ ସୂଚନା ଅନୁଯାୟୀ, ୨୬୨ ସେବିକାଙ୍କୁ ନିୟମିତ କରାଯିବା ସହିତ ୧୮ଜଣ ଲାବ୍ ଟେକ୍ନିସିଆନ ଓ ୬୬ଜଣ ରେଡିଅଗ୍ରାଫରଙ୍କୁ ନିୟମିତ କରାଯାଇଛି।
Comments are closed.