ସବୁ କଲେଜରେ ଖୋଲିବ ଏନ୍ଏସ୍ଏସ୍ ଶାଖା
ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ର ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏ ଦିଗରେ ଅଧିକ ଧ୍ୟାନ ଦେଲ ଯୁବ ସମାଜ ମଧ୍ୟରେ ଅଭୂତପୂର୍ବ ଜାଗରଣ ସୃଷ୍ଟି ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜାତୀୟ ସେବା ଯୋଜନାର ରାଜ୍ୟ ପରାମର୍ଶଦାତା କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ବିଭିନ୍ନ ବିଶ୍ବବିଦ୍ୟାଳୟ କୁଳପତି, ସମସ୍ତ ବିଶ୍ବବିଦ୍ୟାଳୟ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ, ଆଞ୍ଚଳିକ ନିର୍ଦେଶକଙ୍କ ସମେତ ବହୁ ପଦାଧିକାରୀ ଓ ପରାମର୍ଶଦାତା କମିଟିର ବେସରକାରୀ ସଭ୍ୟ ଯୋଗ ଦେଇଥିଲେ। ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ଓଡ଼ିଶାର ବହୁ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଓ ଅଧିକାରୀ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସମାଜସେବାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। +୨, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଏନ୍ଏସ୍ଏସ୍ ସେବା କରିବାର ଯେଉଁ ସୁଯୋଗ ଦେଉଛି, ସେଥିରେ ଅନେକ ସମର୍ପିତ ସମାଜସେବୀ ହୋଇପାରିେବ। ଏହି ଧାରାକୁ ଅବ୍ୟାହତ ରଖିବା ଲାଗି ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ଉଚ୍ଚଶିକ୍ଷା ପରିଷଦ, ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଏନ୍ଏସ୍ଏସ୍ ଅଧିକାରୀ ସମର୍ପିତ ହୋଇ କାର୍ଯ୍ୟ କଲେ ଯୁବ ଓ ଛାତ୍ର ସମାଜକୁ ସଂସ୍କାରମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇ ବ୍ୟକ୍ତି ଓ ସାମାଜିକ ଜୀବନରେ ପରିବର୍ତ୍ତନ ଅଣାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାର ୨୫ଟି ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ସମେତ ଉଚ୍ଚଶିକ୍ଷା ପରିଷଦ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନରେ ୧୨୪୧ ଏନ୍ଏସ୍ଏସ୍ ୟୁନିଟରେ ୧୨୪୦୦୦ରୁ ଅଧିକ ସ୍ବେଚ୍ଛାସେବକ ଅଛନ୍ତି। ଏନ୍ଏସ୍ଏସ୍ କାର୍ଯ୍ୟକ୍ରମକୁ ବ୍ୟାପକ ଓ ଆକର୍ଷଣୀୟ କରିବା ପାଇଁ ଅର୍ଥ ଆଦୌ ପ୍ରତିବନ୍ଧକ ନୁେହଁ ବୋଲି ସେ ଉଲ୍ଲେଖ କରିଥିଲେ। ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ଶିବିର ସହ ନିଶାର ବିଲୋପ, ପରିବେଶ ସୁରକ୍ଷା, ମହିଳା ସଶକ୍ତୀକରଣ, ରକ୍ତଦାନ, ସଡ଼କ ସୁରକ୍ଷା ଆଦିରେ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ କାମ କରି ଜାତୀୟ ସ୍ତରରେ ଯେପରି ଶ୍ରେଷ୍ଠତ୍ବ ହାସଲ କରିବେ; ସେନେଇ ସଚିବ ପରାମର୍ଶ ଦେଇଥିଲେ।
ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦେଶକ ଡା. ସରିତା ପଟେଲ, ରାଜ୍ୟ ସରକାରଙ୍କ ଏନ୍ଏସ୍ଏସ୍ ସଂଯୋଜକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ କୁଳପତି ଓ ଏନ୍ଏସ୍ଏସ୍ ଅଧିକାରୀ ମତ ରଖିଥିଲେ। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ପଦ୍ମଶ୍ରୀ ସାବରମତି ଓ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହ୍ଲାଦ କୁମାର ସିଂହ ଏନ୍ଏସ୍ଏସ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ସେହିପରି ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସହ ଶରୀର ଦାନକୁ ସଂଯୁକ୍ତ କରିବା ନେଇ ଭାରତ ଶରୀର ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ।
Comments are closed.