ଆଠଗଡ ହେଉଛି ଓଡିଶା ସଭ୍ୟତା ଓ ସଂସ୍କୃତିର ପ୍ରୟୋଗଶାଳା

ଆଠଗଡ: ପ୍ରାଚୀନ କାଳରୁ ଆଠଗଡର କଳା ସଂସ୍କୃତି ଓ ଲୋକକଳା ବେଶ ଉନ୍ନତ। ଆଠଗଡକୁ କେବଳ ଏକ ଭୌଗୋଳିକ ଅଞ୍ଚଳ କହିଲେ ହେବ ନାହିଁ ବରଂ ଓଡିଶାର ସଭ୍ୟତା ଓ ଜନଜୀବନର ପ୍ରୟୋଗଶାଳା ହେଉଛି ଆଠଗଡ ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଆଠଗଡ ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଧାନ ଯୋଗଦେଇ ଆଗାମୀ ଦିନରେ ଆଠଗଡକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ସାଂସଦ ଭର୍ତୃହରି ମହତାବ ଆଠଗଡର ଇତିହାସ ବିଷୟରେ କହିବା ବେଳେ ଗଡଜାତ ମିଶ୍ରଣ ପ୍ରକ୍ରିୟାରେ ଆଠଗଡ ପ୍ରଥମେ ଆଗେଇ ଆସିବା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଓ ମହୋତ୍ସବ କମିଟି ଆବାହକ ଫଣୀଭୂଷଣ ରଥ ଯୋଗଦେଇ ଉଦବୋଧନ ଦେଇଥିଲେ । ମହୋତ୍ସବ କମିଟିର ମୁଖ୍ଯ ଉପଦେଷ୍ଟା ଅଭୟ କୁମାର ବାରିକ ପୌରୋହିତ୍ୟ କରିଥିବାବେଳେ ଲୋକପ୍ରିୟ ଉଦଘୋଷକ ପାର୍ଥସାରଥି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଓ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମହୋତ୍ସବ ସ୍ମରଣିକା ‘ଅଷ୍ଟାୟନ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । କଳା, ସାହିତ୍ୟ, କ୍ରୀଡା ଓ ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବହୁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବକିଶୋର ରାଉତଙ୍କ ସଞ୍ଚାଳନରେ ସ୍ଥାନୀୟ କଳା ଅନୁଷ୍ଠାନ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର କଳାକାର ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗାୟକ ମଣ୍ଟୁ ଛୁରିଆଙ୍କ ସଂଗୀତରେ ଝୁମି ଉଠିଥିଲେ ହଜାର ହଜାର ଶ୍ରୋତା ଓ ଦର୍ଶକ। ମହୋତ୍ସବ ବର୍ଷା ଯୋଗୁଁ ଦୁଇଦିନ ବନ୍ଦ ହୋଇଯାଇଥିବାରୁ ଏହାକୁ ଆଉ ଦୁଇଦିନ ଅର୍ଥାତ ମଙ୍ଗଳବାର ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବା ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Comments are closed.