www.samajalive.in
Tuesday, December 9, 2025
16.1 C
Bhubaneswar

ହିଂସାରୁ ଅହିଂସା ପଥର ଯାତ୍ରୀ

ଏହା କୌଣସି ସିନେମାର କାହାଣୀ ପରି ଲାଗୁଥାଇପାରେ, କିନ୍ତୁ ପ୍ରକୃତରେ ଜଣଙ୍କ ଜୀବନରେ ଏପରି ପରିବର୍ତ୍ତନ ସମ୍ଭବ ହୋଇଛି। ଅଶୀ ଦଶକରେ ଜଣେ ଗୁଣ୍ଡା ପ୍ରକୃତିର ଯୁବକ ଥିଲେ ଯାହାଙ୍କ ନାଁ ଶୁଣିଲେ ବିହାର ରାଜଧାନୀ ପାଟନାର ଖଜାଞ୍ଚ ରୋଡ, ମହେନ୍ଦ୍ରୁ ଏବଂ ପାଟନା ବିଶ୍ୱବିଦ୍ୟାଳୟ ଆଖପାଖ ଅଞ୍ଚଳର ଲୋକେ ଭୟରେ ଥରହର ହେଉଥିଲେ। ଏପରିକି ସେ ଆସିବା ଖବର ପାଇବା ମାତ୍ରେ ଲୋକେ ଜାଗା ଛାଡିଦେଉଥିଲେ। ଏବେ ସମଗ୍ର ପାଟନା ଅଞ୍ଚଳରେ ଅହିଂସାର ପୂଜାରୀ ‘ଗାନ୍ଧୀ’ ନାମରେ ନୂଆ ପରିଚୟ ପାଇଛନ୍ତି ହଜ୍ଜୁ। ତାଙ୍କର ପୂରା ନାମ- ସୁରେଶ କୁମାର ହଜ୍ଜୁ। ରଙ୍ଗମଞ୍ଚ ଦୁନିଆରେ ସେ ହଜ୍ଜୁ ନାମରେ ପରିଚିତ। ଏବେ ୫୮ବର୍ଷ ବୟସରେ ପହଞ୍ଚିଥିବା ହଜ୍ଜୁ ବେଶ୍‍ ଉତ୍ସୁକତାର ସହ ଗୁଣ୍ଡାରୁ ଗାନ୍ଧିବାଦୀ ହେବାଯାଏ ନିଜ ଜୀବନ କାହାଣୀ ବର୍ଣ୍ଣନା କରନ୍ତି। ଗୁଣ୍ଡା ସ୍ୱଭାବର ହୋଇଥିବା ବେଳେ ସେ ସିନେମା ଦେଖିବାକୁ ଖୁବ୍‍ ଭଲପାଆନ୍ତି ଏବଂ ଖଳନାୟକ ପରି ପୋଷାକ ବି ପିନ୍ଧନ୍ତି। ବନ୍ଧୁଙ୍କ ପରାମର୍ଶରେ ଅଭିନୟ କରିବା ଲାଗି ସେ ରଙ୍ଗମଞ୍ଚ ସହିତ ଜଡିତ ହୋଇଥିଲେ। ୧୯୮୩ରେ ପାଟନା କଲେଜର ଡ୍ରାମାରେ ତାଙ୍କୁ ଖଳନାୟକ ଭାବେ ଅଭିନୟ କରିବାର ପ୍ରଥମ ସୁଯୋଗ ମିଳିଥିଲା। ଗୁଣ୍ଡା ପରିଚୟ ସାଙ୍ଗକୁ ଖଳନାୟକର ଜୀବନ୍ତ ଅଭିନୟ ଦେଖି ନାଟକ ଶେଷ ହେଉହେଉ ଲୋକେ ତାଙ୍କୁ ମାରିବାକୁ ଗୋଡାଇଲେ। ବଡ କଷ୍ଟରେ ସେଦିନ ମୁକୁଳିବା ପରେ ମଞ୍ଚ ଅଭିନୟ ପ୍ରତି ହଜ୍ଜୁଙ୍କର ଆକର୍ଷଣ ବଢିଚାଲିଲା।
୧୯୯୧ ମସିହାରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲା। ଏହାପରେ ଅକ୍ଟୋବର ୨ରେ ପୁଣି ଗାନ୍ଧିଜୀଙ୍କ ଚରିତ୍ରରେ ଅଭିନୟ କରିବା ପରେ ଏହାକୁ ଦେଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କୁ ବିଦ୍ୟୁତ ବିଭାଗରେ ଚାକିରି ଦେଇଥିଲେ। ଗତବର୍ଷ ଚମ୍ପାରଣ ସତ୍ୟାଗ୍ରହ ଶତବାର୍ଷିକୀ ଅବସରରେ ହଜ୍ଜୁ ଗାନ୍ଧିଜୀଙ୍କ ବେଶରେ ୧୧ରୁ ୧୭ ଏପ୍ରିଲ ଯାଏ ପାଟନାରୁ ଚମ୍ପାରଣ ପଦଯାତ୍ରା କରିଥିଲେ। ଏହି ସମୟରେ ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ତାଙ୍କ ଆଖିରେ ଲୁହ ଭରି ଦେଇଥିଲା। ବାପୁଙ୍କ ଚରିତ୍ରରେ ଅଭିନୟ କରୁକରୁ କେବେ ତାଙ୍କ ଭିତରୁ ହିଂସା ଦୂରେଇଗଲା ସେ ଜାଣିନାହାନ୍ତି ବୋଲି ହଜ୍ଜୁ କହନ୍ତି। ବୋମା ବନ୍ଧୁକରେ କଥା ହେଉଥିବା ହଜ୍ଜୁ ଏବେ ଗାନ୍ଧୀ ମଣିଷ ଭାବେ ପରିଚିତ ହୋଇଯାଇଛନ୍ତି। ଲୋକେ ତାଙ୍କୁ ଗାନ୍ଧିଜୀଙ୍କ ନାମରେ ଡାକିଲେ ଖୁବ୍‍ ଭଲ ଲାଗୁଛି ବୋଲି କହୁଛନ୍ତି ସେ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories