ଦୁଇ ମାସ ହେଲା ମିଳିନି ଟଙ୍କା ; ଭତ୍ତା ପାଇଁ ପାଦରେ ଫୁଟୁଛି କଣ୍ଟା

ଜେମାଦେଇପେଣ୍ଠ : ସରକାରଙ୍କ ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା। ଦୁଇ ମାସ ହେଲା ମିଳିନି ଭତ୍ତା ଟଙ୍କା। ଭତ୍ତା ପାଇଁ ଅଭିଯୋଗ କରିବାକୁ ଜଙ୍ଗଲ ରାସ୍ତାରେ ୧୬ କିମି ଚାଲିଲା ବେଳେ ହିତାଧିକାରୀଙ୍କ ପାଦରେ ଫୁଟୁଛି କଣ୍ଟା। ଦୁର୍ଗମ ଅଞ୍ଚଳର ନିରୀହ ଆଦିବାସୀ ହଇରାଣ ହେଉଛନ୍ତି। ଆଗରୁ ମିଳୁଥିବା ଭତ୍ତା ଏବେ ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁନାହିଁ। ସରକାରୀ ନିୟମ ଅନୁସାରେ ସିଧା ହିତାଧିକାରୀଙ୍କ ଖାତାକୁ ଟଙ୍କା ଯାଉଛି। ଅନ୍ଧାରୀ ମୂଲକରେ ଡିଜିଟାଲ ବ୍ୟବସ୍ଥା ନ ଥିବା ବେଳେ ପରିଣତ ବୟସରେ ଭତ୍ତା ଟଙ୍କା ସଂଗ୍ରହ କରିବା କଷ୍ଟକର ହୋଇପଡୁଛି।
ଏପରି ଚିତ୍ର ରାୟଗଡ଼ା ଜିଲା ତାଡମା ପଞ୍ଚାୟତରେ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ଉର୍ଜଗୁଡା ଗାଁ କୁ ରାସ୍ତା ନାହିଁ। ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ପାହାଡ ଉପର ଜଙ୍ଗଲ ରାସ୍ତାରେ ପ୍ରାୟ ୧୬ କିଲୋମିଟର ଚାଲିବାକୁ ପଡୁଛି। ଗ୍ରାମର ବୃଦ୍ଧବୃଦ୍ଧାଙ୍କୁ ମିଶାଇ ପ୍ରାୟ ୧୪ ହିତାଧିକାରୀ ଦୀର୍ଘ ଦୁଇ ମାସ ହେଲା ଭତ୍ତା ଟଙ୍କା ପାଇ ନାହାନ୍ତି। ପଞ୍ଚାୟତ ଅଧିକାରୀ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଛି ବୋଲି କହୁଛନ୍ତି। ଦୁଇ ଥର ବ୍ୟାଙ୍କକୁ ଯାଇ ହିତାଧିକାରୀ ଫେରି ଆସିଛନ୍ତି। ପୁଣି ବ୍ୟାଙ୍କ ସେବା ପାଇଁ ସୁଦୂର ରାୟଗଡ଼ା ସହର ପ୍ରାୟ ୪୬ କିଲୋମିଟର ଦୂର ଆସିବାକୁ ପଡୁଛି।
ଏପରିସ୍ଥଳେ ବୃଦ୍ଧ ବୟସରେ ବ୍ୟାଙ୍କକୁ ଯାଇ ଦହଗଞ୍ଜ ହେଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତଙ୍କୁ ପଚାରିବାରୁ ହିତାଧିକାରୀଙ୍କୁ ମୌଳିକ ସୁବିଧା ଯୋଗାଇବା ଆମର ପ୍ରଥମ କର୍ତ୍ତବ୍ୟ। କୌଣସି ବୈଷୟିକ ତ୍ରୁଟି ଯୋଗୁଁ ଏହି ଅସୁବିଧା ହୋଇଥିଲେ, ସମ୍ପୃକ୍ତ ପଞ୍ଚାୟତ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

kalyan agarbati

Comments are closed.