www.samajalive.in
Saturday, December 13, 2025
26.1 C
Bhubaneswar

ଠକେଇ ଅଭିଯୋଗରେ ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣା ଗିରଫ

ଭୁବନେଶ୍ବର/ବାଲିଅନ୍ତା : ରାଜଧାନୀ ଓ ଉପକଣ୍ଠରେ ଜମି, ଘର ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ପରେ ଆଉ ଧରାଛୁଆଁ ଦେଉନଥିଲେ। ଶତାଧିକ ଲୋକଙ୍କଠାରୁ ସେ କୋଟି କୋଟି ଟଙ୍କା ଠକି ନେଇଥିଲେ। ମୁମ୍ବଇରେ ଘରଭଡ଼ା ନେଇ ରହୁଥିଲେ। ଠକେଇ ଟଙ୍କାରେ ସେ ଫିଲ୍ମ ନିର୍ମାଣ କରିଥିଲେ। ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ଦାମୀ କାର୍‌ ଚଢ଼ି ବୁଲୁଥିଲେ। ତାଙ୍କ ନାମରେ ସହରର ବିଭିନ୍ନ ଥାନାରେ ୨୧ଟି ଠକେଇ ମାମଲା ରହିଥିଲା। ଏଥିସହ ୭ଟି ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଥିଲା। ଦୁର୍ଗାପୂଜା ପାଇଁ ଭୁବନେଶ୍ବର ଆସିଥିବା ଖବର ପାଇବା ପରେ ତାଙ୍କ ଘରେ ଚଢ଼ଉ କରି ବାଲିଅନ୍ତା ଥାନା ପୁଲିସ ସମ୍ପୃକ୍ତ ଓଡ଼ିଆ ଫିଲ୍ମ ପ୍ରଯୋଜକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପାଟଣା ବାଲିଅନ୍ତାର ନିରଞ୍ଜନ ରଣା ଓରଫ ଟିନା। ଅଭିଯୁକ୍ତଙ୍କ ନିକଟରୁ ବ୍ୟବହୃତ କାର୍‌, ୩ ଲକ୍ଷ ୯୨ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି। ନିରଞ୍ଜନ ଏହି ଠକେଇ ରାକେଟରେ କମିସନରେଟ ପୁଲିସର ଜଣେ ଏସିପି ଓ ଜଣେ ଅବସରପ୍ରାପ୍ତ ଅତିରିକ୍ତ ଉପାୟୁକ୍ତଙ୍କ ସମ୍ପୃକ୍ତି ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ୨ ଅଧିକାରୀ ତାଙ୍କ ନିକଟରୁ କିଛି ଜମି ହାତେଇଥିବା ସୂଚନା ରହିଛି। ତଦନ୍ତ କରାଗଲେ ଏଭଳି କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀଙ୍କ ଅପରାଧୀଙ୍କ ସହିତ ଥିବା ସମ୍ପର୍କ ପଦାରେ ପଡ଼ିବ ବୋଲି ସାଧାରଣରେ ଦାବି ହୋଇଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ନିରଞ୍ଜନ ସହିଦନଗରରେ ‘ମା’ ତାରିଣୀ ଇଷ୍ଟକନ୍‌’ ନାମରେ ବିଲ୍ଡର କାର୍ଯ୍ୟାଳୟ ଖୋଲିଥିଲେ। ବାଲିଅନ୍ତା ତଥା ଏହାର ଆଖପାଖ ଅଞ୍ଚଳରେ  ଜମି ଓ ଘର ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇ ଏକାଧିକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ପରେ ଜମି କିମ୍ବା ଘର ଦେବା ଦୂରର କଥା ନେଇଥିବା ଟଙ୍କା ମଧ୍ୟ ଫେରାଇ ନଥିଲେ। ଏହି ଠକେଇ ଟଙ୍କାରେ ସେ ‘ଯେ ପାଞ୍ଚେ ପର ମନ୍ଦ’, ‘ପହିଲି ରଜ’, ରକତେ ଲେଖିଚି ନାଁ’, ‘ହରି ଭାଇ ହାରେନା’, ‘ଟାର୍ଗେଟ୍‌’ ଓ ‘ଗୋଟେ ଶୁଆ ଗୋଟେ ସାରୀ’ ନାମରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ପୂର୍ବରୁ ଥରେ ସେ ଗିରଫ ହୋଇଥିଲେ । ଜାମିନ ପାଇବା ପରେ ସେ ପୁଣି ଠକିବା ଆରମ୍ଭ କରିଥିଲେ। ଦିନକୁ ଦିନ ଠକେଇ ମାମଲା ବଢ଼ି ଚାଲିଥିଲା। ସୁରକ୍ଷା ଦେବା ନାଁରେ କିଛି ପୁଲିସ ଅଧିକାରୀ ତାଙ୍କ ନିକଟରୁ ଜମି ହାତେଇ ଥିଲେ। ଗତ କିଛି ବର୍ଷ ହେବ ପୁଲିସ ଗିରଫ କରୁନଥିଲା। ଯାହାଫଳରେ ଅଦାଲତ ଅଭିଯୁକ୍ତ ବିରୋଧରେ ୭ଟି ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ଅଭିଯୋଗକାରୀମାନେ ଥାନାରୁ ଅଦାଲତ ଦୌଡ଼ି ଦୌଡ଼ି ହାଲିଆ ହୋଇଥିଲେ। ଫେରାର କହି ପୁଲିସ ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ଅଭିଯୋଗ ପରେ ଅଭିଯୁକ୍ତ ମୁମ୍ବଇର ଥାଣେ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହିଥିବା ସୂଚନା ମିଳିଥିଲା। ଓଡ଼ିଶା ଆସିଥିବା ଖବର ପାଇ ତାକୁ ଧରିବା ଲାଗି ପୁଲିସ ଜାଲ ବିଛାଇ ଥିଲା।

- Advertisement -

ଶେଷରେ ବାଲିଅନ୍ତା ଅଞ୍ଚଳରୁ ତାଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିଲା।  ଅଭିଯୁକ୍ତ ବିରୋଧରେ ମାମଲା ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଆବଶ୍ୟକସ୍ଥଳେ ଅଭିଯୁକ୍ତକୁ ଜିମାରେ ଆଣି ଜେରା କରାଯିବ ବୋଲି ଉପାୟୁକ୍ତ ଶ୍ରୀ ମିଶ୍ର କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories