ଜିଏସଟି ତାତିରେ ଆଉଟୁପାଉଟୁ ଖାଉଟି; ଖାଲି ମୁଢ଼ି ନୁହେଁ ଚୁଡ଼ା, ଖଇ, ଲିଆ ମଧ୍ୟ ମହଙ୍ଗା

ନୀଳଗିରି: ଏଣିକି ମୁଢ଼ି ଖାଇଲେ ଭାରି ବାଧିବ । ମାଂସ ମୁଢ଼ି ତ ଦୂରର କଥା ଚା’ ମୁଢ଼ି କଥା ଶୁଣିଲେ ଗରିବଟିଏ ନିଶ୍ଚୟ ଡରିବ । କାରଣ ସରକାର ଏବେ ମୁଢ଼ି ପକେଟ ଉପରେ ଜିଏସଟି ଲାଗୁ କରିଛନ୍ତି । ଏଣିକି ଲୋକଟିଏ ମୁଢ଼ି କିଣିଲେ ଦେବାକୁ ପଡ଼ିବ ୫ ପ୍ରତିଶତ ଜିଏସଟି । ଫଳରେ ଏହି ଜିଏସଟିର କଣ୍ଟା ଦେଶର ସମସ୍ତ ଗ୍ରାହକଙ୍କ ତଣ୍ଟିରେ ଲାଗିବ । ବିଶେଷ କରି ଓଡ଼ିଶାର ବାଲେଶ୍ୱରରେ ମୁଢ଼ିର ଚହିଦା ବେଶ ଅଧିକ ରହିଛି । ବାଲେଶ୍ୱର ମୁଢ଼ି ଘୁଗୁନି ଓ ମୟୂରଭଞ୍ଜର ମୁଢ଼ି ମାଂସ ସବୁଠି ବେଶ ଜଣାଶୁଣା । କୁହାଯାଉଛି କି ମୁଢ଼ି ଉପରେ ସରକାରଙ୍କ ଏହି ଜିଏସଟି ନିଷ୍ପତ୍ତି ବାଲେଶ୍ୱର ଓ ମୟୂରଭଞ୍ଜକୁ ଭାରି ବାଧିବ ।

ଖାଲି ମୁଢ଼ି କାହିଁକି ଚୁଡ଼ା, ଖଇ, ଲିଆ ମଧ୍ୟ ମହଙ୍ଗା ହେବ । ଏସବୁ ଜିନିଷକୁ ପ୍ୟାକିଂ କରି ବିକ୍ରି କଲେ ଦେବାକୁ ପଡ଼ିବ ୫% ଜିଏସଟି । ଫଳରେ ଏହି ଜିଏସଟିର ତାତିରେ ଆଉଟୁପାଉଟୁ ହେବେ ଖାଉଟି । ଗରିବ ରାଜ୍ୟ ଭାବେ ଓଡ଼ିଶାର ଲୋକ ମାନେ ମୁଢ଼ି ଉପରେ ବେଶ ଭରସା କରିଥାନ୍ତି । ସକାଳର ଜଳଖିଆ ହେଉ କି ରାତି ଖାଇବା ସବୁଥିରେ ଗରିବ ଖୋଜନ୍ତି ମୁଢ଼ି । ବିଶେଷ କରି ମୟୂରଭଞ୍ଜ ବାଲେଶ୍ୱର, ଭଦ୍ରକ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମୁଢ଼ିକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଜିଏସଟି ବୈଠକରେ ନିଆଯାଇଥିବା ବର୍ତ୍ତମାନର ଏହି ନିଷ୍ପତ୍ତି । ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ନିରାଶ କରିଛି । ଫଳରେ ମାୟୂରଭଞ୍ଜର ମୁଢ଼ି ମାଂସ ହେଉ କି ବାଲେଶ୍ୱରର ଭୂଜା ଗ୍ରାହକଙ୍କୁ ଭାରି ପଡ଼ିଛି ।

Comments are closed.