ନିକାହ ହଲାଲା ଏବଂ ବହୁବିବାହର ସାମ୍ବିଧାନିକ ବୈଧତା ସମୀକ୍ଷା କରିବେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ନିକାହ ହଲାଲା ଓ ବହୁ ବିବାହ ପ୍ରଥା ସାମ୍ବିଧାନିକ ନା ନୁହେଁ ତାର ବୈଧତା ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ସୋମବାର ସହମ୍ମତି ପ୍ରକାଶ କରିଛନ୍ତି । ଏହା ଉପରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଲ’ କମିଶନକୁ ନୋଟିସ୍‌ ଜାରି କରିଛନ୍ତି । ଏହାସହ ଏହି ମାମଲାକୁ ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏଏମ୍‌ ଖାନୱିଲକାର ଏବଂ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରିଛନ୍ତି । ଏହାସହ ଖଣ୍ଡପୀଠ କହିଛନ୍ତି ଯେ ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଏକ ନୂଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯିବ । ସେହି ଖଣ୍ଡପୀଠ ନିକାହ ହଲାଲା ଏବଂ ବହୁ ବିବାହ ପ୍ରଥାର ସାମ୍ବିଧାନିକ ବୈଧତା ଅନୁଧ୍ୟାନ କରିବେ । ପ୍ରକାଶ ଯେ ସୁପ୍ରିମକୋର୍ଟର ପୂର୍ବ ୫ ଜଣିଆ ଖଣ୍ଡପୀଠ ତିନି ତଲାକକୁ ରଦ୍ଦ କରିବା ପରେ ବହୁ ବିବାହ ଏବଂ ନିକାହ ହଲାଲା ଉପରେ ଆଉ ଶୁଣାଣି କରିନଥିଲେ । ଏହି ଦୁଇ ପ୍ରସଙ୍ଗ ବିଚାର ଓ ତର୍କ ପାଇଁ ଖୋଲା ରହିଥିଲା । ସୁପ୍ରମକୋର୍ଟରେ ବିଜେପି ନେତା ଅଶ୍ୱିନ୍‌ ଉପାଧ୍ୟାୟ ଏବଂ ଦିଲ୍ଲୀର ଦୁଇ ମୁସଲମାନ ମହିଳାଙ୍କ ପକ୍ଷରୁ ନିକାହ ହଲାଲା ଏବଂ ବହୁ ବିବାହ ପ୍ରଥା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ଦାଏର ପିଟିସନରେ ଦର୍ଶାଯାଇଥିଲା ଯେ ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ଉଭୟ ପ୍ରଥା ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଥିବାରୁ ଏହାକୁ ଅସାମ୍ବିଧାନିକ ଘୋଷଣା କରାଯାଉ । ମୁସଲମାନ ପର୍ସନାଲ ଆଇନ୍‌ ୧୯୩୭ ଅନୁଚ୍ଛେଦ-୨ରେ ବହୁବିବାହ ଏବଂ ନିକାହ ହଲାଲାକୁ ସ୍ୱୀକୃତି ଓ ଅନୁମତି ପ୍ରଦାନ କରାଯାଇଛି । ଏହି ଅନୁଚ୍ଛେଦ-୨ ଅସାମ୍ବିଧାନିକ ଓ ଏହା ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଛି । ଏହା ଦ୍ୱାରା ଭାରତ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ ଉଲ୍ଲଙ୍ଘନ ହେଉଛି ତେଣୁ ଏହି ଦୁଇ ପ୍ରଥାକୁ ବେଆଇନ ଘୋଷଣା କରିବାକୁ କୁହାଯାଇଛି । ନିକାହ ହଲାଲାକୁ ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି) ଧାରା ୩୭୫ରେ ବଳାତ୍କାର ଓ ବହୁବିବାହକୁ ତିନି ତଲାକ ଭଳି ଆଇପିସି ୪୯୪ରେ ଅପରାଧ ବୋଲି ଘୋଷଣା କରିବାକୁ ପିଆଇଏଲରେ ଆବେଦନ କରାଯାଇଛି। ପ୍ରକାଶ ଯେ ନିକାହ ହଲାଲା ପ୍ରଥା ଅନୁସାରେ ମୁସଲମାନ ସମ୍ପ୍ରଦାୟର କୌଣସି ଛାଡପତ୍ର ପାଇଥିବା ମହିଳା ନିଜ ପ୍ରଥମ ସ୍ୱାମୀଙ୍କୁ ପୁନଃ ବିବାହ କରିବାକୁ ଚାହିଁଲେ ତାଙ୍କୁ ପ୍ରଥମେ ଅନ୍ୟ ଜଣକୁ ବିବାହ କରିବାକୁ ପଡ଼ିବ । ସେହି ବ୍ୟକ୍ତିଙ୍କଠାରୁ ତଲାକ ବା ଛାଡପତ୍ର ପାଇବା ପରେ ସେ ନିଜ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବେ । ସେହିପରି ବହୁବିବାହ ବା ମୁଦା ବିବାହରେ ଜଣେ ମୁସଲମାନ ୪ଟି ପତ୍ନୀ ଗ୍ରହଣ କରିପାରିବ ।

Leave A Reply