ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ମୁଖ୍ୟମନ୍ତ୍ରୀ

୧୮ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଯୋଜନା ଓ ସଂଯୋଜନ ବିଭାଗ ଆନୁକୂଲ୍ୟରେଜୁନ୍ ୨୯ ତାରିଖ  ପ୍ରଖ୍ୟାତ ପରିସଂଖ୍ୟାନବିତ୍ ତଥା ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସଙ୍କ ଜନ୍ମ ଦିବସ ଅବସରରେ ଆଜି ଲୋକସେବା ଭବନ ସ୍ଥିତ କନଭେନସନ୍ ସେଣ୍ଟର ଠାରେଅଷ୍ଟାଦଶ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଅଛି। ଚଳିତ ବର୍ଷ ପରିସଂଖ୍ୟାନ ଦିବସର ବିଷୟବସ୍ତୁ ଥିଲା “ନିଷ୍ପତ୍ତି ନିମନ୍ତେ ତଥ୍ୟର ବ୍ୟବହାର”। ଉତ୍ସବର  ପ୍ରାରମ୍ଭରେ ଅତିଥିମାନେ ପ୍ରଫେସର ମହାଲାନୋବିସଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହି ଅବସରରେ ଓଡ଼ିଶାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପ୍ରଶାସନିକ ହେଉ ଅବା ସର୍ବେକ୍ଷଣ ଅଥବା ଗଣମାଧ୍ୟମରେ ଉତ୍ପନ୍ନ ତଥ୍ୟ ହେଉ, ନୀତି ନିର୍ଦ୍ଧାରଣରେ ପରିସଂଖ୍ୟାନର ଗୁରୁତ୍ୱ ପୂର୍ଣ୍ଣଭୂମିକା ରହିଛି । ନିର୍ଭୁଲ ତଥ୍ୟ, ସମସ୍ୟା ଗୁଡ଼ିକର ଚିହ୍ନଟ ଏବଂ ଉପଯୁକ୍ତ ସମାଧାନ ଦିଗରେ ଏହା ସହାୟକ ହୋଇଥାଏ। ପୁନଶ୍ଚ ଏହା କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ନିଶ୍ଚିତ କରାଇଥାଏ। ପରିସଂଖ୍ୟାନ ମଧ୍ୟ ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି  ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

ଏହି ଅବସରରେ ସେ ବିଶ୍ଵ ବ୍ୟାଙ୍କ ସହାୟତାରେ ଆରମ୍ଭ ହେଉଥ‌ିବା “Strengthening of State Statistical System in Odisha under Odisha State Capability & Resilient Growth Policy Programme” (ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା) ବ୍ୟବସ୍ଥାକୁ ଶୁଭାରମ୍ଭ ଘୋଷଣା କରିଛନ୍ତି । ରାଜ୍ୟର ବିକାଶ ପାଇଁ ନିର୍ଭରଯୋଗ୍ୟ ପରିସଂଖ୍ୟାନ ସଂଗ୍ରହ ନିମନ୍ତେ ବୈଷୟିକ ବ୍ୟବସ୍ଥାର ବହୁଳ ବ୍ୟବହାର କରିବାକୁ ବିଭାଗର ଅଫିସର ଏବଂ କର୍ମଚାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଯୋଜନା ଓ ସଂଯୋଜନ ବିଭାଗ ଅନୁ ଗର୍ଗ ଯୋଗଦେଇ”ଏକ ପ୍ରଭାବଶାଳୀ ପ୍ରଶାସନିକ ବ୍ୟବସ୍ଥାରେ ପରିସଂଖ୍ୟାନ ତଥ୍ୟ” ଉପରେ ଆଲୋଚନା କରିଥିଲେ । ନୀତି ପ୍ରଣୟନରେ ରିଅଲ ଟାଇମ ତଥ୍ୟର ଆବଶ୍ୟକତା ସୁଶାସନ ନିମନ୍ତେ ନିର୍ଭରଯୋଗ୍ୟ ପରିସଂଖ୍ୟାନର ଗୁରୁତ୍ଵ ବିଷୟରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନୀତିନିର୍ଦ୍ଧାରଣ ପାଇଁ ସର୍ବଦା ବିଶ୍ୱସ୍ତ, ବିସ୍ତୃତ, ସଦ୍ୟତମ ଏବଂ ନିର୍ଭୁଲ ତଥ୍ୟର ଆବଶ୍ୟକତା ରହିଛି।ବିଶ୍ୱବ୍ୟାଙ୍କ ସହାୟତା ପ୍ରକଳ୍ପ ତଥ୍ୟର ଡିଜିଟାଇଜେସନ, ଗୁଣାତ୍ମକମାନର, ତଥ୍ୟ ବ୍ୟବଧାନକୁ ତର୍ଜମା କରିବା, ତଥ୍ୟ ଉପଭୋକ୍ତା ନିୟୋଜନ ସଂସ୍ଥାଗତ ସୁଦୃଢ଼ୀକରଣରେ ସହାୟକ ହେବବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍ ତଥା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ତଥା ମଧ୍ୟପ୍ରଦେଶ ପରିସଂଖ୍ୟାନ କମିଶନ ଆୟୋଗର ବର୍ତ୍ତମାନ ଅଧ୍ୟକ୍ଷପ୍ରବୀଣ ଶ୍ରୀବାସ୍ତବ ଯୋଗ ଦେଇ ଓଡ଼ିଶାରେ ରାଜ୍ୟସ୍ତରରେ  ଏକ ଉନ୍ନତ ପରିସଂଖ୍ୟାନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଦିଗଦର୍ଶନ ଦେବା ସହିତ ଏହାର ବିଭିନ୍ନ ଦିଗ ବିଷୟରେ  ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର  ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦ ଅତିଥିମାନଙ୍କୁ ସ୍ଵାଗତ କରିବା ସହିତ ପରିସଂଖ୍ୟାନ ବ୍ୟବସ୍ଥାର ଆଧୁନିକୀକରଣ,  ମାନବସମ୍ବଳ ପରିଚାଳନା ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପକରିଥିଲେ। ସରକାରୀ ନିଷ୍ପତ୍ତି ଏବଂ ଯୋଜନା ପ୍ରଣୟନରେ ତଥ୍ୟର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ବିଭାଗ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବହୁ ଅବସରପ୍ରାପ୍ତ ଅଧିକାରୀଗଣ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିଙ୍କ ଅବଗତି ନିମନ୍ତେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ସର୍ଭେ ଉପରେ ଏକ ଦୃଶ୍ୟଶ୍ରାବ୍ୟ ଡକୁମେଣ୍ଟାରୀ ପ୍ରଦର୍ଶନ କରାଯାଇଥିଲା। ନିର୍ଦ୍ଦେଶାଳୟର ବାର୍ଷିକ ପତ୍ରିକା “ସମୀକ୍ଷା” ଏବଂ ଅନ୍ୟାନ୍ୟ ପରିସଂଖ୍ୟାନ ପ୍ରକାଶନ ଉନ୍ମୋଚନ କରାଯାଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ରେ ପରିସଂଖ୍ୟାନ କାର୍ଯ୍ୟକ୍ରମରେ ଉନ୍ନତ ମାନର ପ୍ରଦର୍ଶନ ପାଇଁ ତିନୋଟି ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଯଥା- ଢେଙ୍କାନାଳ, ଭଦ୍ରକ ଓ ବୌଦ୍ଧକୁ ଅତିଥିମାନେ ସମ୍ମାନିତ କରିଥିଲେ।

ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ସବ୍ୟସାଚୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ହାଇଦ୍ରାବାଦବିଶ୍ଵ ବିଦ୍ୟାଳୟର ଅର୍ଥନୀତି ପ୍ରଫେସର  ଆଲୋକ କୁମାର ମିଶ୍ର “ସୁଶାସନ ନିମନ୍ତେ ପରିସଂଖ୍ୟାନ” ଉପରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବହୁ ଅର୍ଥନୀତିଜ୍ଞ, ପରିସଂଖ୍ୟାନବିତ୍ ଓ ଗବେଷକ ଯୋଗ ଦେଇ ପରିସଂଖ୍ୟାନ ଦିବସର ବିଷୟବସ୍ତୁ ଉପରେ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ପବିତ୍ର ମୋହନ ଦ୍ୱିବେଦୀ ଉତ୍ସବର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.