ପ୍ରକୃତି କୋଳରୁ ସାରା ବିଶ୍ୱକୁ ଖେଳି ଯାଉ ଶାନ୍ତି ମୈତ୍ରୀର ବାର୍ତ୍ତା

ପଞ୍ଚଲିଙ୍ଗେଶ୍ୱର ବନ ମହୋତ୍ସବ ଉଦଘାଟିତ

ନୀଳଗିରି: ଉତ୍ତର ଓଡ଼ିଶାର ଅନ୍ୟତମ ଶୈବପୀଠ କୁହାଯାଉଥିବା ନୀଳଗିରିର ପଞ୍ଚଲିଙ୍ଗେଶ୍ୱରରେ ଶନିବାର ସନ୍ଧ୍ୟାରେ ପଞ୍ଚମ ବନ ମହୋତ୍ସବ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ପାର୍କିଂଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ କହିଥିଲେ ଯେ, ପ୍ରକୃତି କୋଳ ପଞ୍ଚଲିଙ୍ଗେଶ୍ଵରରୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ସାରା ବିଶ୍ୱକୁ ଛୁଇଁ ଯିବା ଉଚିତ। ଅଞ୍ଚଳର ସଂଗ୍ରାମୀଙ୍କ କଥା ଆଜି ଦେଶ ଝୁରୁଛି ବୋଲି ମୁଖ୍ୟବକ୍ତା ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ କହିଥିଲେ।

prayash

ସମ୍ମାନିତ ଅତିଥିଭାବେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଗାରିମା ବଖାଣି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୈଳାସ ପଣ୍ଡା, ସୁରେନ୍ଦ୍ର ଦାସ, ଭୋଳାନାଥ ମାଝୀ, ବୁଲୁ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ପ୍ରକୃତି କୋଳରେ ଆୟୋଜିତ ଏହି ମହୋତ୍ସବ ଅତିବ ମନୋହର ବୋଲି ମତବ୍ୟକ୍ତ କରିଥିଲେ। କମିଟି ସଭାପତି ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ମହୋତ୍ସବ ମାଧ୍ୟମରେ ପଞ୍ଚଲିଙ୍ଗେଶ୍ୱରର ଗାରିମାକୁ ଅଧିକ ପ୍ରସାର କରିବା, ଜନମାନସରେ ଏହାର ଐତିହ୍ୟକୁ ଉଜ୍ଜୀବିତ କରିବା ଏବଂ ପର୍ଯ୍ୟଟନ ବିକାଶରେ ପଞ୍ଚଲିଙ୍ଗେଶ୍ୱରକୁ ଆଉ ଦୁଇପାଦ ଆଗକୁ ନେବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ସମ୍ପାଦକ ତଥା ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରସ୍ତମ ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉପଲକ୍ଷେ ସାମ୍ବାଦିକ ବ୍ରଜକିଶୋର ପାଣି, ଭଗବାନ ମହଲ, ସୁକାନ୍ତ ଦାସ, ଦିଲୀପ ସ୍ୱାଇଁ, ଜଗନ୍ନାଥ ପାତ୍ର, ପ୍ରିୟନାଥ ବେହେରା, ସମାଜସେବୀ ହିମାଂଶୁ ସେନାପତି, ଡ଼ା. କିଶୋର ପ୍ରଧାନ, ଭାସ୍କର ବେହେରା, ପ୍ରଶାନ୍ତ ବେହେରା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। କଣ୍ଠଶିଳ୍ପୀ ବିଷ୍ଣୁମୋହନ କବିଙ୍କ କଣ୍ଠର ଯାଦୁ ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସଂଳାପରେ ମଞ୍ଚ ଦୁଲୁକି ପଡ଼ିଥିଲା।

Comments are closed.