ରେଙ୍ଗାଳି ନଦୀବନ୍ଧ ଯୋଜନା : ଦୁର୍ଦଶାରେ ବିସ୍ଥାପିତ, ଅନୁଧ୍ୟାନରେ ସୀମିତ ଭାସମାନ ସୌର ବିଦ୍ୟୁତ୍ ପ୍ରକଳ୍ପ
କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ୍ ଅନ୍ତର୍ଗତ ରେଙ୍ଗାଳିଠାରେ ସ୍ଥାପିତ ଓଡିଶାର ଦ୍ବିତୀୟ ସର୍ବବୃହତ୍ ରେଙ୍ଗାଳି ନଦୀବନ୍ଧ ଯୋଜନା ଅନ୍ତର୍ଗତ ଜଳଭଣ୍ଡାରରେ ପ୍ରସ୍ତାବିତ ୫୦୦ ମେଗାୱାଟ ବିଶିଷ୍ଟ ଭାସମାନ ସୌରପ୍ରକଳ୍ପ ଏବେ ଶୀତଳ ଭଣ୍ଡାରରେ। ଚାରିବର୍ଷ ତଳେ ଏଥିପାଇଁ ସର୍ଭେ ହୋଇଥିଲେ ମଧ୍ୟ ଏହାର ଅଗ୍ରଗତି ଦିଗରେ ଆଦୌ ଧ୍ୟାନ ଦିଆଯାଇନି। ଏଣେ ମୂଳ ପ୍ରକଳ୍ପ ପାଇଁ ଘର ଓ ଜମି ହରାଇଥିବା ବାସଚ୍ୟୁତ ମାନେ ଦୁର୍ଗତିରେ କାଳାତିପାତ କରୁଛନ୍ତି।
୧୯୭୩ ମସିହା ଡିସେମ୍ବର ୨୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ପରେ ୧୯୭୪ ଏପ୍ରିଲରେ ଡ୍ୟାମର ଖନନ କାମ ଆରମ୍ଭ ହୋଇ ୧୯୮୫ ମସିହାରେ ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣ ଥିଲା ଏହି ପ୍ରକଳ୍ପ ନିର୍ମାଣର ପ୍ରମୁଖ ଲକ୍ଷ୍ୟ; ହେଲେ ଆଶାଠାରୁ ଏହା ନିରାଶା ଅଧିକ ସାବ୍ୟସ୍ତ ହୋଇଛି । ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ୍ ଉତ୍ପାଦନରେ ସୀମିତ ରହିଛି ରେଙ୍ଗାଳି ବହୁମୁଖୀ ଜଳ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ବାରା ଚାଷଜମି ଶସ୍ୟଶ୍ୟାମଳା ହୋଇ ଉଠିବା ନେଇ ଯାହା ଲକ୍ଷ୍ୟ ଥିଲା ତାହା ସାକାର ହୋଇପାରିନି।
ପ୍ରକଳ୍ପ ଦ୍ବାରା ବାସଚ୍ୟୁତ ବିଭିନ୍ନ ଗ୍ରାମର ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବାସଚ୍ୟୁତମାନେ ସେମାନଙ୍କ ଜମି କେଉଁଠାରେ ଅଛି ଜାଣି ପାରୁନାହାନ୍ତି। ବିଭିନ୍ନ ଜଙ୍ଗଲରେ କ୍ଷତିଗ୍ରସ୍ତମାନେ ଏକ ପ୍ରକାର ଆଦିମ ଜୀବନ ବିତାଉଛନ୍ତି । ଉପଯୁକ୍ତ ଥଇଥାନ ଦ୍ୱାହି ଦେଇ ସରକାର ବୁଡି ଅଞ୍ଚଳ ଲୋକଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ଜୀବନଜୀବିକା ବିପର୍ଯ୍ୟସ୍ତ। ବୁଡି ପରେ ସେମାନେ କେମିତି ଅଛନ୍ତି ଦେଖିବାକୁ କିମ୍ବା ଆହା କରିବାକୁ କେହି ନାହିଁ ।
ରେଙ୍ଗାଳି ନଦୀବନ୍ଧ ଯୋଜନା ପାଇଁ ଦେବଗଡ ଓ ଅନୁଗୋଳ ଜିଲାର ସମୁଦାୟ ୨୬୫ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୋଟ ୧୧,୨୮୯ ପରିବାର ବାସଚ୍ୟୁତ ହୋଇଥିଲେ। ଦେବଗଡ ଓ ପାଳଲହଡାର ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଉକ୍ତ ପ୍ରକଳ୍ପ ପାଇଁ ସମୁଦାୟ ୨୯୮.୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଡ୍ୟାମରେ ସମୁଦାୟ ୨୪ଟି ଫାଟକ ରହିଛି । ୫ଟି ଟର୍ବାଇନ ମାଧ୍ୟମରେ ପ୍ରତି ଟରବାଇନରୁ ୫୦ ମେଗାୱାଟ ଲେଖାଏଁ ବିଦ୍ୟୁତ ଉତ୍ପାଦନ ହେଉଛି। ଉକ୍ତ ବିଦ୍ୟୁତ ଶକ୍ତି କେବଳ ବର୍ଷା ଦିନରେ ଉତ୍ପାଦନ ହୋଇପାରୁଛି। ଅନ୍ୟ ଦିନରେ ଜଳଭଣ୍ଡାରକୁ ପାଣି କମ୍ ଆସୁଥିବାରୁ ଆବଶ୍ୟକତାକୁ ଦେଖି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଉଛି ।
ଉତ୍ପାଦିତ ବିଦ୍ୟୁତ ଶକ୍ତି ପର୍ଯ୍ୟାପ୍ତ ନଥିବାରୁ ସେହି ଜଳଭଣ୍ଡାରରୁ ସୌର ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଯୋଜନା କରାଯାଇଥିଲା। ଏଥିପାଇଁ ଏନଏଚ୍ପିସି ଓ ଗ୍ରୀନ ଏନର୍ଜି ଡେଭଲପମେଣ୍ଟ କର୍ପୋରେସନ ଓଡ଼ିଶା ଲିମିଟେଡ(ଜିଇଡିସିଓଏଲ) ଅଧିକାରୀମାନେ ୨୦୨୦ରେ ରେଙ୍ଗାଳି ଡ୍ୟାମ ଅନୁଧ୍ୟାନ କରିଥିଲେ । ଉକ୍ତ ଜଳଭଣ୍ଡାରରେ ଭାସମାନ ସୌର ପ୍ଲେଟ ଜରିଆରେ ୫୦୦ ମେଗାୱାଟ ସୌର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୨୨ ମସିହା ସୁଦ୍ଧା ୧୦୦ ମେଗାୱାଟ ସୌର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିଲ। ଇତିମଧ୍ୟରେ ଦୁଇ ବର୍ଷ ବିତିଲାଣି। ବର୍ତ୍ତମାନ ସୁଦ୍ଧା ଏହି ପ୍ରସ୍ତାବିତ ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡିଛି ।
ରେଙ୍ଗାଳି ଡ୍ୟାମର କାର୍ଯ୍ୟକାଳ ୧୦୦ ବର୍ଷ ପାଇଁ ଉଦ୍ଦିଷ୍ଟ । ଜଳଭଣ୍ଡାରରେ ଭାସମାନ ସୌର ବିଦ୍ୟୁତ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି l ୨୦୨୪ ଅକ୍ଟୋବରରେ ଗ୍ରୀଡକୋ ଓ ପାୱାରଗ୍ରୀଡ ଅଧିକାରୀ ଏଠାକୁ ଆସି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରି ଫେରିଛନ୍ତି l ପ୍ରକଳ୍ପ କେବେ ହେବ, କେତେ ମେଗାୱାଟ ଶକ୍ତି ଉତ୍ପାଦନ ହେବ ଓ କେତେ ଟଙ୍କା ବ୍ୟୟ ଅଟକଳ ହେବ ତାହା ସେ ଜାଣି ନାହାଁନ୍ତି ବୋଲି ରେଙ୍ଗାଳି ଡ୍ୟାମ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ପାତ୍ର କହିଛନ୍ତି।
Comments are closed.