ବୌଦ୍ଧ: ଆଗାମୀ ସାଧାରଣ ନିର୍ବାଚନ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦଳ ତୃଣମୂଳସ୍ତରରୁ ସଂଗଠନକୁ ଗୁରୁତ୍ୱ ଦେବା ସହିତ ପ୍ରମୁଖ ନେତା ଓ ସଂଗଠକମାନଙ୍କୁ ଦାୟିତ୍ୱ ବଣ୍ଟନ ଆରମ୍ଭ କରିଛି। ବିଶେଷ ଭାବରେ ଜିଲାରେ ବିଜେଡି ଆଗାମୀ ନିର୍ବାଚନ ପାଇଁ ଦଳର ଯୁବନେତାମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଆଜି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବୌଦ୍ଧ ଜିଲାର ତିନିଜଣ ଯୁବ ନେତୃତ୍ୱ ଓ ଅନଗୁଳ ଜିଲାର ଜଣେ ଯୁବନେତାଙ୍କୁ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ବୌଦ୍ଧରୁ ଦଳର ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରତିନିଧିତ୍ୱ କରୁଥିବାରୁ ରାଜ୍ୟରେ ଏହି ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନ କରୁଛି। ଶ୍ରୀ ଅମାତ ଲଗାତାର ଭାବରେ ୫ ଥର ହେଲା ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ଆସିଛନ୍ତି। ଶ୍ରୀଅମାତଙ୍କ ପରେ ଏଠାରେ ଯୁବ ନେତୃତ୍ୱ ଭାବରେ ମୃତ୍ୟୁଞ୍ଜୟଙ୍କ ନାମ ସର୍ବାଗ୍ରେ ରହିଆସିଛି। ଏହି ପରିପ୍ରେକ୍ଷିରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଆଗାମୀ ନିର୍ବାଚନ ପାଇଁ ବୌଦ୍ଧର ଯୁବନେତା ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ସଂଯୋଜକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀମିଶ୍ର ଜିଲା ବିଜେଡିର ସାଧାରଣ ସମ୍ପାଦକ,ଜୀବନବିନ୍ଦୁ ସଂଯୋଜକ,ଜିଲା ଯୁବ ବିଜେଡି ସଭାପତି ଭାବରେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିବାବେଳେ ସିଧାସଳଖ ନିର୍ବାଚନରେ ବର୍ତମାନ ଏନଏସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଦାୟିତ୍ୱ ନିର୍ବାହ କରୁଛନ୍ତି। ଦଳରେ ଯୁବ କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାମାନଙ୍କ ସହିତ ଉତମ ସଂପର୍କ ଓ ବୁଝାମଣା ରଖି ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ଶ୍ରୀମିଶ୍ର ସବୁବେଳେ ନିଜର ଦକ୍ଷତାର ପରିଚୟ ନେଇଆସିଛନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୃତ୍ୟୁଞ୍ଜୟଙ୍କୁ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ସଂଯୋଜକ ଭାବରେ ଦାୟିତ୍ୱ ପ୍ରଦାନ କରିଥିବାରୁ ଦଳ ଏହାଦ୍ୱାରା ଅଧିକ ଲାଭବାନ ହେବା ସହିତ କର୍ମୀମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି। ଏଥିସହିତ ଅନଗୁଳ ଜିଲା ଆଠମଲ୍ଲିକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଚିତ କର୍ଣ୍ଣଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ଜିଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଯୁବ ସଂଗଠକ ସୁଧିର ମହାକୁଡଙ୍କୁ ଆଗାମୀ ନିର୍ବାଚନ ପାଇଁ ସଂଯୋଜକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁଧିର ପୂର୍ବରୁ ବିରୋଧୀ କଂଗ୍ରେସ ଦଳର ଜିଲା ସଭାପତି ଭାବରେ ଦାୟିତ୍ୱ ନିର୍ବାହ କରିସାରିଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇ ଦଳରେ ତାଙ୍କର ସାଂଗଠନିକ ଦକ୍ଷତା ଦେଖାଇ ରାଜ୍ୟ ସଂପାଦକ ଦାୟିତ୍ୱରେ ରହିଛନ୍ତି। ତାଙ୍କୁ ନିର୍ବାଚନ କଣ୍ଟାମାଳ ମଣ୍ଡଳୀର ନିର୍ବାଚନ ସଂଯୋଜକ ଦାୟିତ୍ୱ ପ୍ରଦାନ କରିବା ଦଳ ପାଇଁ ଅଧିକ ଲାଭପ୍ରଦ ହେବ ବୋଲି ମତପ୍ରକାଶ ପାଉଅଛି। ସେହିପରି ହରଭଙ୍ଗାର ପୂର୍ବତନ ସରପଞ୍ଚ ଯୁବନେତା ତଥା ଦଳର ଜିଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନଙ୍କୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁବୋଧ ବର୍ତମାନ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ସହିତ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭାବରେ ଦାୟିତ୍ୱରେ ରହିଛନ୍ତି। ଆଗମୀ ନିର୍ବାଚନରେ ବୌଦ୍ଧର ଉଭୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀତ୍ୱ ନେଇ ଦୀର୍ଘଦିନ ହେଲା ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଥିବାବେଳେ ଜିଲାର ତିନିଜଣ ଯୁବ ନେତାଙ୍କ ହାତରେ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରି ଦଳୀୟ ନେତୃତ୍ୱ ଆଗାମୀ ଭବିଷ୍ୟତ ପାଇଁ ତାଙ୍କର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିବା ନେଇ ଏବେ ଆଲୋଚନା ଜୋର ଧରିଛି।
Popular Categories



