ନିଜାର ହତ୍ୟାର ଭିଡିଓ ଜାରି

ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡର ଭିଡିଓ ସମ୍ପ୍ରତି ଉପଲବ୍ଧ ହୋଇଛି। ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେସ୍ଥିତ ଗୁରୁ ନାନକ ଶିଖ୍‌ ଗୁରୁଦ୍ବାର ନିକଟରେ ଜୁନ୍‌ ୧୮ରେ ଦୁର୍ବୃତ୍ତମାନେ ନିଜାରକୁ ଗୁଳିମାରି ହତ୍ୟା କରିଥିଲେ। ଏଥିରେ ଦୁଇ ଜଣ ସମ୍ପୃକ୍ତ ଥିବା ଏକ ୯୦ ସେକେଣ୍ଡର ଭିଡିଓରୁ ସ୍ପଷ୍ଟ ହୋଇଛି। ରାତି ପ୍ରାୟ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଦୁର୍ବୃତ୍ତମାନେ ମୋଟ ୫୦ ରାଉଣ୍ଡ ଗୁଳି ଚଳାଇଥିଲେ ଓ ସେଥିରୁ ୩୪ଟି ନିଜାରର ଶରୀର ଭେଦ କରିଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ନିଜାର ଏକ ଧୂସର ଟ୍ରକ୍‌ରେ ଗୁରୁଦ୍ବାର ପାର୍କିଂସ୍ଥଳରୁ ବାହାରୁଥିବାବେଳେ ଧଳା କାର୍‌ ତା’ ସହ ଆସୁଥିଲା। ହଠାତ୍‌ ପାର୍କିଂ ସ୍ଥଳର ପ୍ରସ୍ଥାନ ଫାଟକ ନିକଟରେ କାର୍‌ଟି ଟ୍ରକ୍‌ ସମ୍ମୁଖକୁ ଆସି ଏହାର ରାସ୍ତା ଅବରୋଧ କରିଥିଲା। କାର୍‌ରୁ ଦୁଇ ଯୁବକ ବାହାରି ଟ୍ରକ୍‌ ଚଳାଉଥିବା ନିଜାରକୁ ଲକ୍ଷ୍ୟକରି ଗୁଳି ଚଳାଇଥିଲେ। କିଛି କ୍ଷଣ ମଧ୍ୟରେ ସେମାନେ କାର୍‌ରେ ଚାଲିଯାଇଥିଲେ। ପ୍ରାୟ ୧୦୦ ମିଟର ଦୂରରେ ଖେଳୁଥିବା ଗୁରୁଦ୍ବାର ସ୍ବେଚ୍ଛାସେବୀ ଭୂପିନ୍ଦରଜିତ୍‌ ସିଂହ ଏହା ଦେଖିବା ମାତ୍ରେ ଟ୍ରକ୍‌ ନିକଟରେ ପହଞ୍ଚି ଦେଖିଲାବେଳକୁ ନିଜାରର ମୃତ୍ୟୁ ହୋଇଥିଲା। ସହଯୋଗୀ ଗୁର୍‌ମିତ ସିଂହ ତୁରଙ୍କ ସହ ମିଶି ଭୂପିନ୍ଦରଜିତ୍‌ ନିଜାରକୁ ଗାଡ଼ିରୁ ବାହାର କରିଥିଲେ। ସେମାନେ ଆକ୍ରମଣକାରୀଙ୍କୁ ଖୋଜିଥିଲେ ମଧ୍ୟ ପାଇ ନଥିଲେ। ଘଟଣା ସମୟରେ ଦୁଇଟି ଗାଡ଼ି ଓ ୬ ବ୍ୟକ୍ତି ଉପସ୍ଥିତ ଥିବା ଭିଡିଓରୁ ଲକ୍ଷ୍ୟ କରାଯାଉଛି। ଏହି ଭିଡିଓ ଆମେରିକାର ‘ୱଶିଂଟନ୍‌ ପୋଷ୍ଟ’ ଖବରକାଗଜ କର୍ତ୍ତୃପକ୍ଷଙ୍କ ହସ୍ତଗତ ହେବା ପରେ ସାର୍ବଜନୀନ ହୋଇଛି। ସ୍ଥାନୀୟ ସିସିଟିଭି କ୍ୟାମେରାରୁ ଉଦ୍ଧୃତ ଏହି ଭିଡିଓକୁ ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ୱାଶିଂଟନ୍‌ ପୋଷ୍ଟ ଲେଖିଛି ଯେ ଉକ୍ତ ହତ୍ୟାକାଣ୍ଡର ତଦନ୍ତ ଯେମିତି ମନ୍ଥର, ପ୍ରତିକ୍ରିୟା ମଧ୍ୟ ସେମିତି। ତଦନ୍ତକୁ ଚାପି ଦିଆଯାଇଥିବା ବେଳେ ଏହାକୁ ନେଇ କୂଟନୈତିକ ବିବାଦ ଚାଲିଛି। ସୂଚନାନୁଯାୟୀ, ଘଟଣାର ୨୦ ମିନିଟରେ ପୁଲିସ ସେଠାରେ ପହଞ୍ଚିଥିଲା; କିନ୍ତୁ ଏହି ସ୍ଥାନ କାହା ଅଞ୍ଚଳରେ ଘଟିଛି ଓ ତଦନ୍ତ ଦାୟିତ୍ବ କିଏ ନେବ ସେଥିନେଇ ପୁଲିସ ମଧ୍ୟରେ ପ୍ରାୟ ଘଣ୍ଟାଏ କାଳ ବିତର୍କ ଚାଲିଥିଲା। ପ୍ରାୟ ମାସକ ପରେ ଜୁଲାଇ ୨୧ରେ ପୁଲିସ ସାଧାରଣ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ ଉଦ୍ୟମ ଆରମ୍ଭ କଲା; କିନ୍ତୁ ପ୍ରକୃତ ଲୋକଙ୍କୁ ପଚରାଉଚୁରା କଲାନାହିଁ। ଏମିତିକି ପରିବାରକୁ ହତ୍ୟା ଧମକ ଦିଆଯାଉଥିବା ନିଜାରର ପୁଅ ବଲରାଜ ସିଂହ ନିଜାର ପୁଲିସକୁ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ନିଜାରର ହତ୍ୟା ଗ୍ୟାଙ୍ଗ ୱାର୍‌ ଥିଲା ବୋଲି ପୁଲିସ ଧରି ନେଇଥିଲା। ସେଥିଯୋଗୁଁ ତଦନ୍ତ ଶିଥିଳ ପଡ଼ିଥିଲା ବୋଲି କୁହାଯାଉଛି। ଲରେନ୍ସ ବିଷ୍ଣୋଇ ଓ ବେଦୀନ୍ଦର ବାମ୍ବିଆ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଲଢ଼େଇରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଲରେନ୍ସ ଗୋଷ୍ଠୀ ନିଜାର ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା। ଲରେନ୍ସ ଓ ବାମ୍ବିଆଙ୍କ ମଧ୍ୟରେ କଲେଜ ସମୟରୁ ପଞ୍ଜାବ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ନେତୃତ୍ବକୁ ନେଇ ବିବାଦ ରହିଥିଲା। ଏହା କ୍ରମଶଃ ବୃଦ୍ଧିପାଇ କାନାଡ଼ା ପର୍ଯ୍ୟନ୍ତ ଯିବା ସହ ବର୍ତ୍ତମାନର ସ୍ତରକୁ ଆସିଛି। ରାଜନୈତିକ କାରଣରୁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଏହାକୁ ନେଇ କୂଟନୈତିକ ବିବାଦ ସୃଷ୍ଟି କରିଥିଲେ।

Comments are closed.