ସମ୍ବଲପୁର ପାଇଁ ଐତିହାସିକ ଦିନ, ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ସମ୍ପନ୍ନ

ସମ୍ବଲପୁର: ବୁଧବାରରେ ସମ୍ବଲପୁରବାସୀଙ୍କୁ ଦୁଇଟି ଖୁସିର ମୁହୁର୍ତ୍ତ ପ୍ରାପ୍ତ ହୋଇଛି। ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ – ୩ ସଫଳତା ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିବା ବେଳେ ଦୀର୍ଘ ଦଶନ୍ଧି ଧରି ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ଦାବିକୁ ପୁରଣ ପାଇଁ ଜାରି ରହିଥିବା ସମ୍ବଲପୁର – ତାଳଚେର ରେଳ ଦୋହରୀକରଣ କାର୍ଯ୍ୟ ମଧ୍ୟ ସଫଳତାର ସହିତ ସମ୍ପୁର୍ଣ୍ଣ ହୋଇଛି। ସମ୍ବଲପୁର – ତାଳଚେର ଅତି ଗୁରୁତ୍ୱପୁର୍ଣ୍ଣ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ହୋଇଥିବା ବେଳେ ଏହାର ନିର୍ମାଣ ଆଜି ଶେଷ ହୋଇଛି। ଦକ୍ଷିଣ ପୁର୍ବ ସାର୍କିଲର ରେଳବାଇ ନିରାପତ୍ତା ଆୟୁକ୍ତ ଏ. ଏମ. ଚୌଧୁରୀ ଆଜି ଏହି ରେଳ ପ୍ରକଳ୍ପରେ ବାକି ରହିଥିବା ସମ୍ବଲପୁର ସିଟି ରୁ ସମ୍ବଲପୁର ଷ୍ଟେସନ ମଧ୍ୟରେ ୬.୧୦ କିମି ଦୋହରୀକରଣ କାର୍ଯ୍ୟକୁ ରେଳପଥକୁ ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଶ୍ରୀ ଚୌଧୁରୀ ନିରାପତ୍ତା ଭିତ୍ତିକ କାର୍ଯ୍ୟ ଓଭର ହେଡ ଉପକରଣ, ରେଳ ଧାରଣା, ସଙ୍କେତ ଓ ଦୂର ସଞ୍ଚାର ଉପକରଣ ଆଦିର ନିରୀକ୍ଷଣ କରିବା ସହିତ ସମ୍ବଲପୁର ସିଟି ଷ୍ଟେସନରୁ ସମ୍ବଲପୁର ଷ୍ଟେସନ ମଧ୍ୟରେ ରେଳଗାଡିର ସ୍ପିଡ ଟ୍ରାଏଲ ମଧ୍ୟ କରିଥିଲେ। ସମ୍ବଲପୁର ମଣ୍ଡଳ ଅଧିନସ୍ଥ ଏହି ସେକ୍ସନର ଦୋହରୀକରଣ ଓ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆଗାମୀ ଦିନରେ ରେଳ ପରିଚାଳନା ସୁଗମ ହୋଇ ପାରିବ। ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ, ପୁର୍ବତଟ ରେଳପଥ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ପି. ଶ୍ରୀନିବାସଙ୍କ ସମେତ ପୁର୍ବତଟ ରେଳବାଇ ମୁଖ୍ୟାଳୟ ଓ ସମ୍ବଲପୁର ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ନିରୀକ୍ଷଣ ସମୟରେ ଉପସ୍ଥିତ ରହିଥିଲେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଦ୍ୱାରା ନିରନ୍ତର ସମୀକ୍ଷା ଓ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇ ପାରିଛି। ରେଳବାଇ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂପୃକ୍ତ ଅଧିକାରୀ ମାନଙ୍କୁ ସମ୍ବଲପୁର ଓ ତାଳଚେର ଦୋହରୀକରଣ କାର୍ଯ୍ୟ ଭଳି ଅତି ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ମହାପ୍ରବନ୍ଧକ ଶ୍ରୀ ଶର୍ମା ଦେଇଛନ୍ତି। ଆଗାମୀ ଦିନରେ ରେଳବାଇର ଅତି ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପ ସମ୍ବଲପୁର – ତାଳଚେର ଦୋହରୀକରଣ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବା ସହିତ ପଶ୍ଚିମ ଓଡ଼ିଶା ସହିତ ଉପକୂଳ ଓଡ଼ିଶା ସହିତ ସଂଯୋଗ କରୁଥିବା ଗୁରୁତ୍ୱପୁର୍ଣ୍ଣ ରେଳ ଲାଇନ ମଧ୍ୟରେ ଅସୁବିଧାମୁକ୍ତ ରେଳ ଚଳାଚଳ କରାଯାଇ ପାରିବ। ସମ୍ବଲପୁର – ତାଳଚେର ଦୋହରୀକରଣ ପ୍ରକଳ୍ପକୁ ୨୦୧୧ – ୧୨ ମସିହାରେ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ୨୦୧୮ ମସିହାରେ ଏହାର ଚୂଡାନ୍ତ ମଞ୍ଜୁରୀ ମିଳିଥିଲା। ତାଳଚେର ରୁ ବ୍ରଜରାଜନଗର ମଧ୍ୟରେ ଏହା ଏକ ଗୁରୁତ୍ୱପୁର୍ଣ୍ଣ କୋଇଲା ପରିବହନ ମାର୍ଗ ମଧ୍ୟ ଅଟେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ୨ଟି ଖୁସିର ମୁହୁର୍ତ୍ତ ଏକ ସଙ୍ଗରେ ମିଳିଥିବାରୁ ସମ୍ବଲପୁରବାସୀ ବେଶ ଖୁସି ପ୍ରକାଶ କରୁଛନ୍ତି।
Comments are closed.