ହରଭଙ୍ଗା: ଓଡ଼ିଶା ସାମାଜିକ ସୁରକ୍ଷା ଉତରଦାୟିତ୍ୱ ଓ ସୁରକ୍ଷା ସମିତି ଆନୁକୂଲ୍ୟରେ ମଙ୍ଗଳବାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମନରେଗା, ଜାତୀୟ ସାମାଜିକ ସହାୟତା ଏବଂ ପଂଚଦଶ ଅର୍ଥକମିଶନ କାର୍ଯ୍ୟକ୍ରମର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନରେଗା ଯୋଜନାର ତ୍ରୁଟି ଥିବା ୬୭୬ଟି ଅଭିଯୋଗର ଜନଶୁଣାଣି କରାଯାଇଥିଲା। ଏହା ସାଙ୍ଗକୁ ଜାତୀୟ ସାମାଜିକ ସହାୟତା ଏବଂ ପଂଚଦଶ ଅର୍ଥକମିଶନର ୧୪୫ ଗୋଟି ଅଭିଯୋଗର ଶୁଣାଣି ହୋଇଥିବା ସୂଚନା ମିଳିଛି। ନିଜେ ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର କୁମାର ମେହେର ବ୍ଲକ, ପଂଚାୟତ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ, କ୍ଷୁଦ୍ର ଜଳସେଚନ, ଜଳସେଚନ ବିଭାଗ ଏବଂ ମୃତିକା ସଂରକ୍ଷଣ ବିଭାଗ ତରଫରୁ କାର୍ଯ୍ୟକାରୀ ହୋଇଥିବା ଅକ୍ଟୋବର-୨୦୨୨ ରୁ ମାର୍ଚ୍ଚ-୨୦୨୩ ପର୍ଯ୍ୟନ୍ତ ସମସ୍ତ ମନରେଗା କାର୍ଯ୍ୟ ସମ୍ବଳିତ ଅଭିଯୋଗଗୁଡିକ ପଠନ କରିଥିଲେ।
ମନରେଗା ସମ୍ବଳିତ ୬୭୬ଟି ପ୍ରକଳ୍ପର କ୍ୟାସ ରେକର୍ଡ ସଠିକ ଭାବେ ପରିଚାଳନା ହୋଇନଥିବା ଜଣାପଡ଼ିଥିଲା। ମନରେଗା ଯୋଜନାର ୨୬ଟି ଚେକଲିଷ୍ଟ ମଧ୍ୟ ଅପଡେଟ ହୋଇନଥିବା ସମୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା। ଏପରିକି ବିନା ସୂଚନା ଫଳକରେ ଏସବୁ ପ୍ରକଳ୍ପ କାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ୨୨ଟି ପଂଚାୟତ ମଧ୍ୟରୁ କଂରଜକଟା, ଛତ୍ରଙ୍ଗ ଏବଂ ରାମଗଡ଼ ଭଳି ପଂଚାୟତ ମନରେଗା କ୍ୟାସ ରେକର୍ଡ ଯାଂଚ ପାଇଁ ଦେଇନଥିବା ସୂଚନା ମିଳିଥିଲା। ସୂଚନାଫଳକ ପାଇଁ ୫ ହଜାର ଟଙ୍କା ରହିଥିବା ବେଳେ ବିନା ସୂଚନା ଫଳକରେ ଟଙ୍କା ପଇଠ ହୋଇଥିବା ସମୀକ୍ଷା ରିପୋର୍ଟରୁ ଧରାପଡ଼ିଥିଲା। ଜାତୀୟ ସାମାଜିକ ସହାୟତା ଏବଂ ପଂଚଦଶ ଅର୍ଥକମିଶନ ଯୋଜନାର ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ ତିନୋଟି ଆର୍ଥୀକବର୍ଷର ୧୪୫ଟି ତ୍ରୁଟିଥିବା ପ୍ରକଳ୍ପ କାର୍ଯ୍ୟର ଶୁଣାଣି ହୋଇଥିଲା। ଗତଥରର ସମୀକ୍ଷା ରିପୋର୍ଟ ପରେ ପଂଚାୟତ ଏବଂ ବ୍ଲକକୁ ଗାଇଡଲାଇନ ଉଲ୍ଲଘଂନ ପାଇଁ ୧୨ ହଜାର ୭ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।
ଜଳ ବିଭାଜିକା ବିଭାଗ ପକ୍ଷରୁ ଦୁଇଥର ସୂଚନା ଫଳକ ବିଲ ପଇଠ ବାବଦରେ ୪ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି।ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଥମ ଥର ଗଛ ଲଗାଇ ଗଛ ନଥିବା ବେଳେ ମେଟେଂନାସ ବାବଦକୁ ବିଲ ପଇଠ ନେଇ ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ତଳଗାଁ ପଂଚାୟତରେ ସାମଗ୍ରୀ ଖର୍ଚ୍ଚର କୌଣସି ସୂଚନା ମିଳୁନଥିବାରୁ ସେ ବାବଦକୁ ୩୦ହଜାର୪ଶହ ଟଙ୍କା ଜୋରିମାନା କରାଯାଇଥିବା ଜଣାପଡ଼ିଛି। ବିଶେଷକରି ମନରେଗା କାର୍ଯ୍ୟର ନଥିପତ୍ର, ନାଗରିକ ସୂଚନାଫଳକ, ଶ୍ରମିକ ମଜୁରୀ ଏବଂ ବନବିଭାଗ ନର୍ସରୀ ରେଜିଷ୍ଟର ଅପଡେଟ, ଏମ.ଏମ.ଏସ ଭଳି ଅନେକ ଅଭିଯୋଗ ଉପରେ ଉପସ୍ଥାପନା କରାଯାଇଥିଲା। ସମସ୍ତ ଅଭିଯୋଗଗୁଡିକ ବିଭାଗୀୟ ଉଚ୍ଚସ୍ତରୀୟ ଅଧିକାରୀ ଆସନ୍ତା ୦୭ଦିନ ମଧ୍ୟରେ ସମାଧାନ କରି ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା। ମାତ୍ର ସାମାଜିକ ସମୀକ୍ଷା ଭଳି ଏକ ମହତ୍ ଲୋକାଭିମୁଖୀ କାର୍ଯ୍ୟକ୍ରମ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ କୌଣସି ପ୍ରସାର ପ୍ରଚାର କରାଯାଇନଥିଲା। ଯାହା ଫଳରେ ହାତଗଣତି ବ୍ଲକ କର୍ମଚାରୀ ଭି.ଆର.ପିମାନଙ୍କ ଉପସ୍ଥିତିରେ କୋଟି କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କାଗଜକଲମରେ ଶେଷ କରାଯାଇ ବ୍ୟବସ୍ଥା ସର୍ମ୍ପକରେ ଲୋକଙ୍କୁ ଅନ୍ଧାରରେ ରଖାଯିବା ଭଳି ଅବ୍ୟବସ୍ଥା, ତ୍ରୁଟି ଦେଖିବାକୁ ମିଳିଥିଲା।ସାମାଜିକ ସମୀକ୍ଷା ରିପୋର୍ଟ ମଧ୍ୟ ସମସ୍ତଙ୍କୁ ହସ୍ତାନ୍ତର କରାନଯିବା ବାସ୍ତବରେ ଏହି କାର୍ଯ୍ୟକ୍ରମ ମୂଳଲକ୍ଷ୍ୟ ଠାରୁ ଦୂରେଇ ଯିବା ଭଳି ଜଣାପଡୁଥିଲା।କିଛି ଅସାଧୁ କର୍ମଚାରୀଙ୍କ ମୁଖା ଖୋଲିଯିବା ଭୟରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ବିନା ପ୍ରଚାର ପ୍ରସାରରେ କରାଯିବା ନେଇ ସାଧାରଣରେ ପ୍ରସ୍ନବାଚୀ ସୃଷ୍ଟିକରିଛି। ୨୦୧୭-୧୮ ଆର୍ଥୀକ ବର୍ଷରୁ ଏହି ମହତ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶୁଣାଣି ପରେ ବି ଜଣେ ହେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡ଼ିଛି। ଗାଇଡ୍ଲାଇନ ଉଲ୍ଲଂଘନ କରିଥିବା ବାବୁଙ୍କଠାରୁ ଭରଣା ଅର୍ଥ ଲକ୍ଷଲକ୍ଷ ଟଙ୍କା ଅସୁଲ ନ ହେବା କାର୍ଯ୍ୟକ୍ରମର ବିଫଳତାକୁ ଦର୍ଶାଉଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ହରଭଙ୍ଗା ବି.ଡି.ଓ ସ୍ୱପ୍ନିତା ନାଏକ, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର କୁମାର ମେହେର,ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କ ସମେତ ପଂଚାୟତ ପିଇଓ,ଜି.ଆର.ଏସ ପ୍ରମୁଖ ଯୋଗଦାନ କରିଥିଲେ।ଜନଶୂଣାଣୀ ଭଳି ଏକ ମହତ୍ କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ପଦାଧିକାରୀ ଭଳି କେତେକ ସରକାରୀ କର୍ମଚାରୀଙ୍କ ଗହଣରେ ଶୁଣାଣି କାର୍ଯ୍ୟକ୍ରମ କେବଳ ପ୍ରହସନରେ କାଗଜ କଲମରେ ଶେଷ ହୋଇଥିବା ଦେଖିବାକୁ ମିଳିଛି।



