ଫୁଲବାଣୀ: କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହାସଙ୍ଘ ତରଫରୁ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ସଂଘର ତେଇଶି ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଡ଼ଃ ମହାପାତ୍ରଙ୍କୁ ପୁରସ୍କାର, ମାନପତ୍ର, ଉତ୍ତରୀୟ ଆଦି ପ୍ରଦାନ କରିଥିଲେ। ସାହିତ୍ୟିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ପ୍ରସନ୍ନ କୁମାର ପାଟଶାଣୀ, ଆଇଏଏସ ମଧୁସୂଦନ ଦାଶ, ରାଜନେତା ସନ୍ତୋଷ କୁମାର ଜେନା, ସାମ୍ବାଦିକ ପ୍ରଦ୍ୟୁନ୍ନ କୁମାର ମହାନ୍ତି, ସମ୍ପାଦକ ଅଧ୍ୟାପକ କଣ୍ଡୁରୀ ଚରଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଡ଼ଃ ମହାପାତ୍ରଙ୍କ ଆଉ ଏକ ଆଧ୍ୟାତ୍ମିକ ପୁସ୍ତକ ‘ତତ୍ତ୍ୱ ବୋଧ ଓ ଆତ୍ମବୋଧ’ ଏବଂ ବିଶିଷ୍ଟ ସାହିତ୍ୟିକ ଓ ପ୍ରଶାସକ ଇଂ ଅଜୟ କୁମାର ପଣ୍ଡାଙ୍କ କବିତା ସଂକଳନ ‘ଆକାଶର ରଙ୍ଗ’ ଲୋକାର୍ପିତ ହୋଇଥିଲା। ଫୁଲବାଣୀ ସରକାରୀ ଆଇଟିଆଇରେ ତାଲିମପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିବା ଡ଼ଃ ମହାପାତ୍ର ଜଣେ ସୁସାହିତ୍ୟିକ ଓ ସଂଗଠକ। ତାଙ୍କର ତେଇଶିରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇ ସାରିଥିବା ବେଳେ କମଳା ପ୍ରକାଶନୀ ନାମରେ ନିଜର ଏକ ପୁସ୍ତକ ପ୍ରକାଶନୀ ରହିଛି।
Popular Categories



