ପାକିସ୍ତାନ ମଧ୍ୟ ଆମ ସହଭାଗୀ: ଆମେରିକା

ନୂଆଦିଲ୍ଲୀ/ୱାଶିଂଟନ: ଆମେରିକାର ଦୋମୁହାଁ ଚେହେରା ଶେଷରେ ପଦାକୁ ଆସିଲା। ଏପର୍ଯ୍ୟନ୍ତ ଭାରତ ସହିତ ସମ୍ପର୍କ ନିବିଡ କରିବାକୁ କହିଆସୁଥିବା ଆମେରିକା ପ୍ରଶାସନ ଯେ ପାକିସ୍ତାନକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି, ତାହା ସ୍ପଷ୍ଟ କରିଛନ୍ତି। ବାଇଡେନ ପ୍ରଶାସନ ପାକିସ୍ତାନକୁ ୪୫୦ ନିୟୁତ ଡଲାର ସହାୟତା ଯୋଗାଇଦେଇ ତାହାର ଏଫ-୧୬ ଲଢୁଆ ବିମାନ ଆଧୁନିକିକରଣ ଦିଗରେ ସହାୟତାର ହାତ ବଢ଼ାଇଥିବାବେଳେ ଭାରତ ଏହାକୁ ତୀବ୍ର ସମାଲୋଚନା କରିଥିଲା। ଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକାର ଏଭଳି ପଦକ୍ଷେପ ନେଇ ଦୃଢ ଆପତ୍ତି ଦର୍ଶାଯାଇଥିଲା। ଭାରତର ଏହି ପ୍ରତିକ୍ରିୟା ଉପରେ ବାଇଡେନ ପ୍ରଶାସନ ମୁହଁ ଖୋଲିଛନ୍ତି। ଆମେରିକା ପକ୍ଷରୁ କୁହାଯାଇଛି ଯେ, ଭାରତ ଭଳି ପାକିସ୍ତାନ ମଧ୍ୟ ଆମେରିକାର ଏକ ସହଭାଗୀ ରାଷ୍ଟ୍ର।

ସୂଚନାଯୋଗ୍ୟ ଯେ ଏଫ୍‍-୧୬ ବିମାନଗୁଡିକର ଆଧୁନିକିକରଣ ନିମନ୍ତେ ଉକ୍ତ ଅର୍ଥ ଯୋଗାଇ ଦିଆଯାଇଛି ଏବଂ ତାହା ଆତଙ୍କବାଦ ବିରୋଧୀ ମୁକାବିଲା କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ଆମେରିକା କହିବା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ବାଇଡେନ ପ୍ରଶାସନ ଏଭଳି କହି କାହାକୁ ବୋକା ବନାଇ ପାରିବେ ନାହିଁ। କାରଣ ପାକିସ୍ତାନର ଏଫ୍‍-୧୬ ଲଢୁଆ ବିମାନ କେଉଁଠାରେ ମୁତୟନ ହୋଇଛି, ତାହା ସମସ୍ତେ ଜାଣନ୍ତି । ଏହା ଆତଙ୍କବାଦର ଶିକାର ହୋଇଥିବା ଲୋକଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ସେ କହିଛନ୍ତି।

prayash

ଏଥିସହିତ ପାକିସ୍ତାନ ଏବଂ ଜର୍ମାନୀ ବିଦେଶ ମନ୍ତ୍ରୀଙ୍କର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶନିବାର କାଶ୍ମୀରକୁ ନେଇ ପାକିସ୍ତାନର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଭାରତ ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ଜନସାଧାରଣ ଦଶନ୍ଧି ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଛନ୍ତି। ଯେଉଁ ରାଷ୍ଟ୍ରମାନେ ନିଜ ସ୍ୱାର୍ଥ ପାଇଁ ଅଥବା ଖାମଖିଆଲି ଭାବନେଇ ସୀମାପାର ଆତଙ୍କବାଦର ବିପଦ ଜାଣନ୍ତିନାହିଁ, ସେମାନେ ଏହାକୁ ଗମ୍ଭୀରତାର ସହିତ ବିଚାର କରିବା ଉଚିତ। ୱାଶିଂଟନ ପକ୍ଷରୁ ପାକିସ୍ତାନକୁ ଯୋଗାଇ ଦିଆଯାଇଥିବା ୪୫୦ ନିୟୁତ ଡଲାର ସହାୟତା ଲଢୁଆ ବିମାନର କ୍ଷମତା ବୃଦ୍ଧି ଅଥବା ଅସ୍ତ୍ରଶସ୍ତ୍ର ଖରିଦ ନିମନ୍ତେ ଉଦ୍ଦିଷ୍ଟ ନୁହେଁ, ବରଂ ୨୦୧୯ ବାଲାକୋଟ ବିମାନ ଆକ୍ରମଣରେ ଭାରତ ବିରୁଦ୍ଧରେ ପାକିସ୍ତାନ ବ୍ୟବହାର କରିଥିବା ଲଢୁଆ ବିମାନର ଆଧୁନିକିକରଣ ନିମନ୍ତେ ଉଦ୍ଦିଷ୍ଟ।

ଏହାକୁ ନେଇ ନୂଆଦିଲ୍ଲୀରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏହି ଘଟଣାରେ ଭାରତ କୂଟନୈତିକ ସ୍ତରରେ ତୀବ୍ର ଆପତ୍ତି ଦର୍ଶାଇବା ସହିତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଭାରତର ଅସନ୍ତୋଷ ଆମେରିକାକୁ ଜଣାଇ ଦେଇଛନ୍ତି। ୱାଶିଂଟନର ଏଭଳି ନିଷ୍ପତ୍ତିକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବାଇଡେନ ପ୍ରଶାସନର ପ୍ରକୃତ ଆଭିମୁଖ୍ୟ ଜାଣିବାକୁ ଚାହିଁବାରୁ ଆମେରିକା ପକ୍ଷରୁ କୁହାଯାଇଛି ଯେ ଉକ୍ତ ରାଷ୍ଟ୍ର ଭାରତ ଓ ପାକିସ୍ତାନ ସହିତ ନିଜର ସମ୍ପର୍କ ମଧ୍ୟରେ ତୁଳନା କରିବାକୁ ଚାହୁନାହିଁ। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନେଡ୍‍ ପ୍ରାଇସ କହିଛନ୍ତି, ଆମେରିକା ଉଭୟ ଭାରତ ଓ ପାକିସ୍ତାନକୁ ନିଜର ସହଭାଗୀ ଭାବରେ ବିବେଚନା କରୁଛି। ଉଭୟ ରାଷ୍ଟ୍ରକୁ ନେଇ ଆମେରିକାର ସ୍ୱାର୍ଥ ରହିଛି। ଭାରତ ସହିତ ସମ୍ପର୍କ ତାହାବାଟରେ ରହିଛି ଏବଂ ପାକିସ୍ତାନ ସହିତ ସମ୍ପର୍କ ତାହା ସ୍ଥାନରେ ଠିକ୍‍ ରହିଛି।

kalyan agarbati

Comments are closed.