ନୂଆ ବର୍ଷର ନୂଆ ସଂକଳ୍ପ; ଜୀବନକୁ କରିବ ମଧୁମୟ

ନୂତନ ଆଶା ଓ ନୂତନ ଉଦ୍ଦୀପନା ସହ ଆସିଯାଇଛି ନୂଆବର୍ଷ। ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ଭିନ୍ନ ଭିନ୍ନ ଉପାୟରେ ବର୍ଷ ୨୦୨୧କୁ ସ୍ୱାଗତ କରୁଛନ୍ତି। ତେବେ ଆପଣ ନିଶ୍ଚିତ ଚାହୁଁଥିବେ ଯେ ଏହି ବର୍ଷଟି ଆପଣଙ୍କ ମନରେ ଭରିଦେଉ ଅନେକ ଖୁସି। ହଟିଯାଉ ଦୁଃଖର କଳା ବାଦଲ। ଏକ ସୁସ୍ଥ ଓ ନରାମୟ ଜୀବନ ପ୍ରଦାନ କରୁ ଏହି ନବ ବର୍ଷ। କିନ୍ତୁ କ’ଣ ଆପଣ ଜାଣନ୍ତି ଏହା ଆପଣଙ୍କ ହାତରେ ଅଛି। ଆପଣ ଚାହିଁଲେ ନିଜ ଜୀବନକୁ ପରିବର୍ତ୍ତନ କରିପାରିବେ। ନୂଆ ବର୍ଷରେ କରନ୍ତୁ କିଛି ନୂଆ ସଂକଳ୍ପ, ଯାହା ଆପଣଙ୍କ ଜୀବନକୁ କରିଦେବ ମଧୁମୟ। ନୂଆ ବର୍ଷରେ ଆମେ କ’ଣ ସଂକଳ୍ପ ନେବା ଆସନ୍ତୁ ଜାଣିବା ସେ ବିଷୟରେ –

-ସର୍ବପ୍ରଥମେ ଆପଣମାନେ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । କାରଣ ଉତ୍ତମ ସ୍ୱାସ୍ଥ୍ୟ ହିଁ ସୁସ୍ଥ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ । ଠିକ ସମୟରେ ଖାଦ୍ୟ ଗ୍ରହଣ କରିବା, ଦୈନିକ ବ୍ୟାୟାମ କରିବା ଆଦିକୁ ନିଜ ଜୀବନର ଏକ ଅଂଶ ଭାବେ ସାମିଲ କରି ନିଅନ୍ତୁ ।

-ଆପଣଙ୍କର ପରମ ଶତ୍ରୁ କ୍ରୋଧକୁ ନିୟନ୍ତ୍ରଣ କରିବା ଶିଖନ୍ତୁ । କ୍ରୋଧ ଦ୍ୱାରା ଆପଣଙ୍କର ନିଜର ବହୁତ କିଛି କ୍ଷତି ହୋଇଥାଏ । କ୍ରୋଧରେ ରହିଲେ ଆପଣ କୌଣସି କ୍ଷେତ୍ରରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଅନେକ କ୍ଷେତ୍ରରେ କ୍ରୋଧ ହିଁ ଆପଣଙ୍କର ପରାଜୟ ଓ କ୍ଷତିର କାରଣ ସାଜିଥାଏ।

-ମନରୁ ନକରାତ୍ମକ ଚିନ୍ତାଧାରାକୁ ଦୂରେଇ ରଖନ୍ତୁ । କାରଣ ଏହି ଚିନ୍ତାଧାରା ଆପଣଙ୍କ ମନରେ ଦୀର୍ଘଦିନ ରହିଲେ ଆପଣଙ୍କର ମାନସିକତାକୁ ଖରାପ କରିଦିଏ । ଆପଣ ନିଜର ବନ୍ଧୁ ପରିଜନଙ୍କୁ ଭବିଷ୍ୟତରେ ହରାଇ ପାରନ୍ତି । ସର୍ବଦା ସକାରାତ୍ମକ ଓ ଈଶ୍ୱର ବିଶ୍ୱାସୀ ହୁଅନ୍ତୁ ।

-ଦୁନିଆରେ ସମସ୍ତଙ୍କ ପ୍ରତି ଦୟାଳୁ ହୁଅନ୍ତୁ । ଛୋଟ, ବଡ଼, ଧନୀ, ଗରିବ ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଭାବନା ରଖନ୍ତୁ । ଅନ୍ୟକୁ ସମ୍ମାନ ଦେବା ଶିଖନ୍ତୁ । କାରଣ ସମ୍ମାନ ଦେଲେ ହିଁ ଆପଣ ସମ୍ମାନ ପାଇବେ।

-ନୂଆବର୍ଷରେ ଖରାପ ଅଭ୍ୟାସଗୁଡ଼ିକୁ ତ୍ୟାଗ କରନ୍ତୁ । ସିଗାରେଟ, ଗୁଟଖା, ଆଲକହଲ ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ । ଏହା କେବଳ ଆମର ଶରୀର ପ୍ରତି ବିପଦ ନୁହେଁ, ଆମର ପରିବାର, ସମାଜର ମଧ୍ୟ ବହୁତ କ୍ଷତି କରିଥାଏ।

-ନୂଆବର୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । ଅଯଥାରେ ସମୟ ସମୟ ନଷ୍ଟ ନକରି ସଂଘର୍ଷ କରି ଚାଲନ୍ତୁ।

-ସର୍ବଦା ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । କାରଣ ଚାପ, ଅବସାଦରେ ରହିଲେ ଏହା ଆପଣଙ୍କ ମନ ଓ ଶରୀରକୁ ରୁଗଣ କରିଦେଇଥାଏ । ପ୍ରତ୍ୟେକ କାର୍ୟ୍ୟ କରିବା ସମୟରେ ଶତ ପ୍ରତିଶତ ଖୁସି ମନରେ କରିପାରିଲେ କାର୍ୟ୍ୟଟି ନିଶ୍ଚୟ ସଫଳ ହେବ।

-ନିଜ ଉପରେ ଗଭୀର ବିଶ୍ୱାସ ରଖନ୍ତୁ । ଆତ୍ମବିଶ୍ୱାସ ବୃଦ୍ଧି ନିମନ୍ତେ ଯୋଗ, ଧ୍ୟାନ, ପ୍ରାଣାୟମ କରିବା ସହ ଭଲ ପୁସ୍ତକ ଅଧ୍ୟୟନ କରନ୍ତୁ । ସାମାନ୍ୟ ଅସଫଳତାରେ ବ୍ୟତିବ୍ୟସ୍ତ ନ ହୋଇ ଦୀର୍ଘସୂତ୍ରୀ ସଫଳତା ନିମନ୍ତେ ଯୋଜନା ପ୍ରସ୍ତୁତ କରନ୍ତୁ।

-ସଚ୍ଚୋଟ ହେବା ସହ ପରୋପକାରୀ ହୁଅନ୍ତୁ । ପିତାମାତାଙ୍କ ସେବା କରନ୍ତୁ । ସଫଳ ବ୍ୟକ୍ତିଙ୍କ ପଥକୁ ଅନୁସରଣ କରନ୍ତୁ । ନିଜର କାର୍ୟ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଧୈର୍ୟ୍ୟର ସହ କର୍ମ କରି ଚାଲନ୍ତୁ।

 

Comments are closed.