ନୂଆ ନୂଆ କୌଶଳ,ରାଜଧାନୀରେ ମାତିଛନ୍ତି ଲୁଟିଆ-୧୦.୫୯ ଲକ୍ଷ ଟଙ୍କା ଲୁଟ

ଭୁବନେଶ୍ବର : ରାଜଧାନୀରେ ମାତିଛନ୍ତି ଲୁଟିଆ। ନୂଆ ନୂଆ କୌଶଳ ଆପଣାଉଛନ୍ତି। କମିସନରେଟ ପୁଲିସ ଚୋର ଧରିବାରେ ସକ୍ଷମ ହୋଇପାରୁନି। ଘର, ଆପାର୍ଟମେଣ୍ଟ ପରେ ଏବେ ସେମାନଙ୍କ ନଜର ଏଟିଏମ୍‌ କାଉଣ୍ଟର ଉପରେ ରହିଛି।

ରବିବାର ବିଳମ୍ବିତ ରାତିରେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ହାଟସାହିର ଜନଗହଳିପୂର୍ଣ୍ଣ ରାସ୍ତାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଲୁଟିଆ ନିଶାଣ କରିଛନ୍ତି। ଗ୍ୟାସ୍‌ କଟରରେ ଏଟିଏମ୍‌କୁ କାଟି ସେଥିରୁ ୧୦.୫୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଟିଏମ୍‌ କାଉଣ୍ଟରରେ ଲାଗିଥିବା ଚିତ୍ରୋତ୍ତୋଳନ ଯନ୍ତ୍ର (ସିସିକ୍ୟାମେରା) ଓ ଲାଇଟ ଗୁଡିକରେ କଳାରଙ୍ଗ ବୋଲି ଅନ୍ଧାର କରିଦେବା ପରେ ଲୁଟ୍‌ ଅପରେସନ ଆରମ୍ଭ କରିଥିଲେ। ଆଲାର୍ମକୁ ଅକାମି କରି ଗ୍ୟାସ୍‌ କଟରରେ ଏଟିଏମ୍କୁ କାଟି ଟଙ୍କା ଲୁଟି ନେଇଥିଲେ। ସକାଳ ୮ଟାରେ ଚ୍ୟାନେଲ ମ୍ୟାନେଜର ତଥା ଫାସିଲେଟର ଅଭୟ କୁମାର ଶତପଥୀ ଉକ୍ତ ଏଟିଏମ୍‌ଟି ଏକ୍ସକ୍ଲୁସିଭ ଏରର ହୋଇଥିବା ଜାଣିବା ପରେ ଏଟିଏମ୍‌ ଯାଞ୍ଚକାରୀ ଦଳଙ୍କୁ ସେଠାକୁ ପଠାଇଥିଲେ। ସେଠାରେ ଏଟିଏମ୍‌ କଟାଯାଇ ଟଙ୍କା ଲୁଟ୍‌ ହୋଇଥିବା ଦେଖି ସ୍ଥାନୀୟ ଶ୍ରୀଲିଙ୍ଗରାଜ ଥାନାକୁ ଜଣାଇଥିଲେ। ଏଟିଏମ୍‌ ଲୁଟ ଖବର ପାଇ ପୁଲିସ ଉପାୟୁକ୍ତ ପ୍ରତୀକ ସିଂ, ଆଞ୍ଚଳିକ ସହକାରୀ ପୁଲିସ ଆୟୁକ୍ତ ଗିରିଜା ଚକ୍ରବର୍ତ୍ତୀ, ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ, ସ୍ପେଶାଲସ୍କ୍ବାଡର ସହକାରୀ ପୁଲିସ ଆୟୁକ୍ତ ହିମାଂଶୁ ସ୍ବାଇଁ ଓ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି।

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨୦୦ ମିଟର ଦୂର ହାଟସାହିର ମୁଖ୍ୟ ରାସ୍ତାରେ ଶ୍ୟାମାଶଙ୍କର ମଠକୁ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଏଟିଏମ କାଉଣ୍ଟର ରହିଛି। ଏହି କାଉଣ୍ଟରକୁ ଲାଗି ମହାଲକ୍ଷ୍ମୀ ଜୁଏଲାରୀ ୱାର୍କସପ ରହିଛି। ସେଇ ରାସ୍ତା କପିଳେଶ୍ବର ଗାଁକୁ ସଂଯୋଗ କରିଛି। ଦିନରାତି ସେହି ରାସ୍ତାଦେଇ ଶହଶହ ସଂଖ୍ୟକ ଯାନ ଚଳାଚଳ କରିବା ସହ ଗହଳି ଚହଳି ଲାଗିଥାଏ।

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଶନିବାର ଏଟିଏମ୍‌ କାଉଣ୍ଟରରେ ଟଙ୍କା ଜମାକାରୀ ଏଜେନ୍ସି(ସିଏମଏସ) ଦ୍ବାରା ଟଙ୍କା ଜମା କରାଯାଇଥିଲା। ରବିବାର ରାତି ୧୦ଟା୫୭ମିନିଟ୍‌ରେ ଏଟିଏମ୍‌ରୁ ଶେଷଥର ପାଇଁ ଟଙ୍କା ଉଠା ଯାଇଥିଲା। ତା’ ପରଠାରୁ ଏଟିଏମ୍‌ରୁ ଟଙ୍କା ଉଠା ଯାଇନାହିଁ। ଅନୁସନ୍ଧାନ କରାଯିବା ପରେ ଏଟିଏମ୍‌ରୁ ୧୦ଲକ୍ଷ ୫୯ ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି। ଏନେଇ ପୁରୁଣାଭୁବନେଶ୍ବର ଏସବିଆଇ ଶାଖାର ମୁଖ୍ୟ ପରିଚାଳକ ପ୍ରଦୀପ୍ତ କୁମାର ଓଝା ଶ୍ରୀଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏଟିଏମ୍‌ର ସୁରକ୍ଷା ପାଇଁ ଇ- ସ‌େ‌ର୍ଭଲାଇନ୍ସ ଜରିଆରେ ଏଟିଏମ୍‌ ବୈଷୟିକ ସୁରକ୍ଷା ଦଳଙ୍କ ପକ୍ଷରୁ ଏଟିଏମ୍‌ରେ ଲାଗିଥିବା ଚିତ୍ରଉତ୍ତୋଳନ ଯନ୍ତ୍ରର ୨୪ଘଣ୍ଟାର ରିପୋର୍ଟ ପୁଲିସକୁ ପ୍ରଦାନ କରାଯାଇଛି।

Comments are closed.