ନୂଆଦିଲ୍ଲୀ: ନୂତନ ସଂସଦ ଭବନକୁ ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। ଏହି ଉଦ୍ଘାଟନ ଉତ୍ସବକୁ ୧୯ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ବୁଧବାର ଘୋଷଣା କରିଛନ୍ତି।
ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନକୁ ଉଦ୍ଘାଟନ କରିବାକୁ ବିରୋଧ କରି କଂଗ୍ରେସ, ବାମ ଦଳ ଓ ତୃଣମୂଳ କଂଗ୍ରେସ ସହ ୧୯ଟି ବିରୋଧ ଦଳ ଏହି ନିଷ୍ପତ୍ତି ନେଇଛନ୍ତି। ୧୯ଟି ବିରୋଧୀ ଦଳ ତରଫରୁ ବୁଧବାର ଏକ ମିଳିତ ବିବୃତି ପ୍ରକାଶ ପାଇଛି। ଏହି ବିବୃତିରେ ଦର୍ଶାଯାଇଛି ନୂତନ ସଂସଦ ଭବନର ଉଦ୍ଘାଟନ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। କେନ୍ଦ୍ର ବିଜେପି ସରକାର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ବିରୋଧୀ ଦଳମାନେ ଅନୁଭବ କରିବା ସତ୍ତ୍ବେ ସମସ୍ତ ମତଭେଦ ଭୁଲି ନୂତନ ସଂସଦ ଭବନ ଉଦ୍ଘାଟନରେ ଉପସ୍ଥିତ ରହିବାକୁ ଚାହୁଁଥିଲେ। ତେବେ ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ଉଦ୍ଘାଟନ କରିବାକୁ ଯାଉଥିବାରୁ ଏହା ପ୍ରତିବାଦରେ ବିରୋଧୀ ଦଳମାନେ ଉଦ୍ଘାଟନ ସମାରୋହ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଦୀଙ୍କ ଏହି ପଦକ୍ଷେପ ରାଷ୍ଟ୍ରପତି ଏବଂ ଗଣତନ୍ତ୍ରକୁ ଅପମାନ ବୋଲି ବିରୋଧୀ ଦଳମାନେ ବିବେଚନା କରୁଛନ୍ତି।
କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍କେ, ଜନତା ଦଳ (ୟୁ), ଆପ୍, ସିପିଆଇ-ଏମ୍, ସିପିଆଇ, ସମାଜବାଦୀ ପାର୍ଟି, ଏନ୍ସିପି, ଶିବସେନା (ଉଦ୍ଧବ ଗୋଷ୍ଠୀ), ଆର୍ଜେଡି, ଆଇୟୁଏମ୍ଏଲ, ଜେଏମ୍ଏମ୍, ଏନ୍ସି, କେସି (ଏମ୍), ଆରଏସ୍ପି, ଭିକେସି, ଏମ୍ଡିଏମ୍କେ, ଆର୍ଏଲ୍ଡି ଦଳର କୌଣସି ପ୍ରତିନିଧି ନୂତନ ସଂସଦ ଭବନ ଉଦ୍ଘାଟନ ସମାରୋହରେ ଯୋଗ ଦେବେ ନାହିଁ ବୋଲି ମିଳିତ ବିବୃତିରେ ଦର୍ଶାଯାଇଛି। ସେହିପରି ନୂତନ ସଂସଦ ଭବନ ନିର୍ମାଣ ପୂର୍ବରୁ କେନ୍ଦ୍ର ସରକାର ଦେଶର ଜନତା କିମ୍ବା ସାଂସଦଙ୍କ ସହ କୌଣସି ବିଚାରବିମର୍ଶ କରିନଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ର ମୋଦୀ ସରକାରଙ୍କ ଏକଛତ୍ରବାଦ ବିରୋଧରେ ବିରୋଧୀ ଦଳମାନେ ଲଢ଼େଇ ଜାରି ରଖିବେ ବୋଲି ବିବୃତିରେ ଦର୍ଶାଇଛନ୍ତି।
ନୂତନ ସଂସଦ ଭବନ ଉଦ୍ଘାଟନ ସମାରୋହକୁ ୧୯ଟି ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ। ବିରୋଧୀ ଦଳମାନେ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ୍ ବୋଲି ପ୍ରହ୍ଲାଦ କହିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦର୍ଶାଇଛନ୍ତି ଯେ ଅହଙ୍କାରର ଇଟାରେ ସଂସଦ ଗଢ଼ାଯାଏ ନାହିଁ ବରଂ ସାମ୍ବିଧାନିକ ମୂଲ୍ୟବୋଧରେ ସଂସଦ ଗଢ଼ାଯାଇଥାଏ। ନୂତନ ସଂସଦ ଭବନକୁ ରାଷ୍ଟ୍ରପତି ଉଦ୍ଘାଟନ କରିବା ଯୁକ୍ତିଯୁକ୍ତ।



