www.samajalive.in
Sunday, December 14, 2025
26.1 C
Bhubaneswar

ପ୍ୟାନେଲରୁ ହଟିବେ ପ୍ରଧାନ ବିଚାରପତି ; ରହିବେ ମନ୍ତ୍ରୀ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୋଗ ସଦସ୍ୟଙ୍କ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ମନୋନୟନ ମଣ୍ଡଳୀ(ପ୍ୟାନେଲ)ରୁ ପ୍ରଧାନ ବିଚାରପତିଙ୍କୁ ହଟାଇବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଏ ସଂକ୍ରାନ୍ତ ଏକ ବିଧେୟକ ଗୁରୁବାର ରାଜ୍ୟସଭାରେ ଆଗତ ହୋଇଛି। ପ୍ରଧାନ ବିଚାରପତିଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ୟାନେଲର ଅନ୍ତର୍ଭୁକ୍ତ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ନିର୍ବାଚନ ଆୟୋଗ ସଦସ୍ୟ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ସରକାରଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ନିଯୁକ୍ତ ଦେବାର ପରମ୍ପରା ରହିଛି। ଏହି ବ୍ୟବସ୍ଥାରେ ପ୍ରିୟାପ୍ରୀତି ତୋଷଣ ହେଉଥିବା ଓ ଆୟୋଗଙ୍କ ସ୍ବାଧୀନତା ରହୁନଥିବା ସଂକ୍ରାନ୍ତ ଏକ ମାମଲାର ବିଚାରକରି ଗତ ମାର୍ଚ୍ଚରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ ଆୟୋଗଙ୍କ ସଦସ୍ୟ ତଥା ଅାୟୁକ୍ତଙ୍କ ମନୋନୟନ ପାଇଁ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଓ ଦେଶର ପ୍ରଧାନ ବିଚାରପତିଙ୍କୁ ନେଇ ଏକ ତିନି ଜଣିଆ ପାନେଲ ଗଠନ କରାଯିବ ଏବଂ ଏହି ପ୍ୟାନେଲଙ୍କ ପରାମର୍ଶକ୍ରମେ ସରକାର ଆୟୋଗ ମୁଖ୍ୟ ତଥା ସଦସ୍ୟଙ୍କୁ ନିଯୁକ୍ତ କରିବେ। ଏହାଦ୍ବାରା ନିର୍ବାଚନ ଆୟୋଗ ନିରପେକ୍ଷ ଭାବେ କାର୍ଯ୍ୟ କରିପାରି​‌େ​‌ବ ଏବଂ ଏହି ସାମ୍ବିଧାନିକ ସଂସ୍ଥାର ସ୍ବାଧୀନତା ବଜାୟ ରହିବ ବୋଲି ବିଚାରପତି କେ.ଏମ୍‌ ଯୋସେଫଙ୍କ ନେତୃତ୍ବାଧୀନ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତ ମତ ଦେଇଥିଲେ। ଆଇନଗତ ଶାସନର ପ୍ରତିଶ୍ରୁତି ବହନ କରିପାରୁନଥିବା ନିର୍ବାଚନ ଆୟୋଗ ଗଣତନ୍ତ୍ରର ପରିପନ୍ଥୀ ବୋଲି ପୀଠ ମତ ଦେଇଥିଲେ। ସଂସଦ ଆୟୋଗ ସଦସ୍ୟଙ୍କ ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତ ନୀତି ନିର୍ଦ୍ଧାରଣ କରିବା ପର୍ଯ୍ୟନ୍ତ ଏହି ରାୟ ବଳବତ୍ତର ରହିବ ବୋଲି କହିଥିଲେ।
ଏହି ପରିପ୍ରେକ୍ଷୀରେ ସରକାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଆୟୋଗ ସଦସ୍ୟଙ୍କ ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତ ନୀତି ନିର୍ଦ୍ଧାରଣ ପାଇଁ ବିଧେୟକ ଆଣିଛନ୍ତି। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ‘ରେଗୁଲେଟ ଦି ଆପଏଣ୍ଟମେଣ୍ଟ, କଣ୍ଡିସନ୍ସ ଅଫ ସର୍ଭିସ୍‌ ଆଣ୍ଡ ଟର୍ମ ଅଫ ଅଫିସ ଅଫ ଦି ଚିଫ୍‌ ଇଲେକସନ୍‌ କମିସନର ଆଣ୍ଡ ଅଦର ଇଲେକସନ୍‌ କମିସନର୍ସ, ଦି ପ୍ରୋସିଡିଓର ଫର ଟ୍ରାଞ୍ଜାକସନ୍‌ ଅଫ ବିଜ୍‌ନେସ୍‌ ବାୟ ଦି ଇଲେକ୍‌ସନ କମିସନ ଆଣ୍ଡ ଫର ମ୍ୟାଟର୍ସ କନେକ୍‌ଟେଡ ଦେୟାରୱିଥ୍‌ ଅର୍‌ ଇନ୍‌ସେଣ୍ଟାଲ ଦେୟାରଟୁ’ ଶୀର୍ଷକ ବିଧେୟକ ଆଗତ କରିଛନ୍ତି। ଏଥିରେ ଆୟୋଗ ମୁଖ୍ୟ କିମ୍ବା ସଦସ୍ୟଙ୍କ ନିଯୁକ୍ତିକୁ ନିଯୁକ୍ତି ପ୍ୟାନେଲର କୌଣସି ଶୂନ୍ୟତା ବା ଦୁର୍ବଳତା ଆଳରେ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ରହିଛି। ପୁନଶ୍ଚ କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବସ୍ତରରେ କାର୍ଯ୍ୟ କରିଥିବା ବା କରୁଥିବା ଏବଂ ନିର୍ବାଚନ ପରିଚାଳନାରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ଉପରୋକ୍ତ ପଦ ପାଇଁ ଯୋଗ୍ୟ ବିବେଚନା କରାଯିବ। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଦୁଇ ଜଣ ସଚିବଙ୍କୁ ନେଇ ଏକ ପ୍ରାର୍ଥୀ ସନ୍ଧାନ କମିଟି ରହିବ। ସେମାନେ ଯୋଗ୍ୟ ପ୍ରାର୍ଥୀଙ୍କର ଏକ ୫ଜଣିଆ ତାଲିକା ପ୍ରସ୍ତୁତ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପ୍ୟାନେଲର ଅନୁମୋଦନ ଆଧାରରେ ରାଷ୍ଟ୍ରପତି ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ। ପ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀ ଓ ଲୋକସଭାରେ ବିରୋଧୀ ଦଳ ନେତା ବା ବିରୋଧୀ ପକ୍ଷର ସଂଖ୍ୟାଗରିଷ୍ଠ ଦଳର ନେତା ପ୍ୟାନେଲ ସଦସ୍ୟ ରହିବେ।
ଏହି ବିଧେୟକ ବିରୋଧରେ ବିରୋଧୀ ଦଳ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ମାଧ୍ୟମରେ ନିର୍ବାଚନ ଆୟୋଗକୁ ଶାସକ ଦଳ ନିଜର ବା ପ୍ରଧାନମନ୍ତ୍ରୀଙ୍କ ହାତରେ ସଖି କଣ୍ଢେଇ କରିଦେବା ଉଦ୍ୟମ ଚଳାଇଛି ବୋଲି କଂଗ୍ରେସ ସମାଲୋଚନା କରିଛି। ଏକ ସ୍ବାଧୀନ ତଥା ନିରପେକ୍ଷ ନିର୍ବାଚନ ଆୟୋଗ ଗଠନ ସଂକ୍ରାନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ସ୍ଥିତି କ’ଣ ଏବଂ ପ୍ରଧାନମନ୍ତ୍ରୀ କାହିଁକି ଏକ ପକ୍ଷପାତ ନିର୍ବାଚନ ପରିଚାଳନା ସଂସ୍ଥା ଗଠନ ପାଇଁ ବ୍ୟଗ୍ର ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ। ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ସ୍ବେଚ୍ଛାଚାରୀ ତଥା ଅସାଧୁ ବିଧେୟକ ବୋଲି ସେ କହିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗଣତନ୍ତ୍ରକୁ ଦୁର୍ବଳ କରିଦେବା ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ବାରମ୍ବାର ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି। ଏହା ଅତ୍ୟନ୍ତ ବିପଜ୍ଜନକ। ଦିଲ୍ଲୀ ସେବା ଆଇନ ପ୍ରଣୟନ ମାଧ୍ୟମରେ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅବମାନନା କରିଥିଲେ। ଏବେ ନିର୍ବାଚନ ଆୟୋଗ କ୍ଷେତ୍ରରେ ଏହାର ପୁନରାବୃତ୍ତି ଘଟୁଛି ବୋଲି ସେ କହିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories