ସ୍କୁଲକଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା
ଭୁବନେଶ୍ବର: ଦେଶରେ ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇ ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ କୋଭିଡ ନିୟମମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ। ସାମାଜିକ ଦୂରତ୍ବ ଜାଗାରେ ଶାରୀରିକ ଦୂରତ୍ବ ଶବ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ ଶାରୀରିକ ଦୂରତ୍ବ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ। ସ୍କୁଲରେ କ୍ରୀଡ଼ା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସ୍ଥିର କରିବ। ଟିକାକରଣ ସହ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଇପାରିବ।
ଅପରପକ୍ଷରେ ନୂଆ ଗାଇଡ ଲାଇନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍କୁଲକଲେଜକୁ ଆସିବାକୁ ଥିବା ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ତାହା ରାଜ୍ୟ ସ୍ଥିର କରିବ। କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା ସ୍କୁଲ ବସ ଡ୍ରାଇଭରଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯିବ।
ଦେଶରେ ଏବେ ୧୧ଟି ରାଜ୍ୟରେ ପୂର୍ଣ୍ଣ କ୍ଷମତାରେ ସ୍କୁଲ ଖୋଲିଥିବା ବେଳେ ୧୬ଟି ରାଜ୍ୟରେ କେବଳ ବଡ଼ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ବାକି ୯ଟି ରାଜ୍ୟରେ ଆଦୌ ସ୍କୁଲ ଖୋଲାଯାଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.