ଜିମ୍ବାୱେକୁ ହରାଇଲା ନେଦରଲାଣ୍ଡ୍‌ସ

ଆଡିଲେଡ୍ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌-୨ରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଜିମ୍ବାୱେକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା ନେଦରଲାଣ୍ଡ୍‌ସ । ଏହି ବିଜୟ ଫଳରେ ନେଦରଲାଣ୍ଡ୍‌ସ ଦଳ ୪ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଥିବା ବେଳେ ଜିମ୍ବାୱେ ୪ଟି ମ୍ୟାଚ୍‌ ଖେଳି ୩ ପଏଣ୍ଟ ସହ ଏହି ଟେବୁଲର ୪ର୍ଥ ସ୍ଥାନରେ ରହିଛି ।
ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୧୯.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୭ ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ସେନ୍ ୱିଲିୟମ୍‌ସ ୨୩ଟି ବଲ୍‌ରୁ ୩ଟି ଚୌକା ସହାୟତାରେ ୨୮ ଓ ସିକନ୍ଦର ରାଜା ୨୪ଟି ବଲ୍‌ରୁ ୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୪୦ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟସମ୍ୟାନ୍‌ମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିିଥିଲେ। ୱେସଲେି ମାଧାଭେର ୧, ଅଧିନାୟକ କ୍ରେଗ୍ ଏରଭିନ୍‌ ୩, ରେଜିସ୍‌ ଚକଭା ୫, ମିଲଟନ୍‌ ଶୁମ୍ଫା ୨, ରେୟାନ୍‌ ବ୍ଲୁଲ୍‌ ୨, ଲୁକ୍‌ ଜୋଙ୍ଗୱେ ୬, ରିଚାର୍ଡ ଗାରାଭା ୯ ରନ୍ କରିଥିଲେ। ନେଦରଲାଣ୍ଡ୍‌ସ ବୋଲର ମେକରେନ୍‌ ୩ଟି, ଗ୍ଲୋଭର, ବେକ୍‌ ଓ ଲିଡ୍‌ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।
ଜବାବରେ ନେଦରଲାଣ୍ଡ୍‌ସ ଦଳ ୧୮ ଓଭରରେ ୫ ୱିକେଟ୍‌ ହରାଇ ୧୨୦ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଓପନର୍‌ ମ୍ୟାକ୍‌ସ ଓ’ ଡୋ ୪୭ଟି ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୨, ଟମ୍‌ କୁପର ୨୯ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୨ ରନ୍‌ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମ୍ୟାକ୍‌ସ ଓ’ ଡୋଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଭାବେ ବିବେଚିତ କରାଯାଇଥିଲା।

Comments are closed.