ଅବାଧରେ ଚାଲିଛି ଗଛ କଟା, ବେଆଇନରେ ଚାଲିଛି କରତ କଳ ଓ କାଠ ଚାଲାଣ
ନେମାଳ : ସରକାର ଗଛ କଟା ଉପରେ କଡା କଡି ନିୟମ ପ୍ରଣୟନ କରିଥିବା ବେଳେ ନେମାଳ ଥାନା ଅଞ୍ଚଳରେ ବହୁ କାଠ ମାଫିଆ ଓ ବେଆଇନ୍ ଭାବେ ଚଳାଇଥିବା ମିଲ ମାଲିକଙ୍କ ଦ୍ୱାରା ଅବାଧରେ ଗଛକଟା ଯାଇ ସେଗୁଡିକୁ ପଟା ଚିରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଉଥିବାରୁ ଏ ଅଞ୍ଚଳରେ ଦିନକୁ ଦିନ ଗଛ ଲୋପ ପାଇବାରେ ଲାଗିଛି। କାଠ ମାଫିଆମାନେ ଗ୍ରାମାଞ୍ଚଳ କାଠ ବେପାରୀଙ୍କୁ ହାତ କରି ମୋଟା ଅଙ୍କରେ ଅର୍ଥ ଦେଇ ବିଭିନ୍ନ ସରକାରୀ, ବେସରକାରୀ ଜାଗାରୁ ଗଛ କାଟି ନେମାଳ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ମିଲରେ କାଠ ଚିରି ବିଭିନ୍ନ ସ୍ଥାନକୁ ପଠାଉଛନ୍ତି। କାଠ ମାଫିଆମାନେ ସ୍ଥାନୀୟ ପ୍ରଶାସନ, ବନ ବିଭାଗ ଓ ପୁଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ଗ୍ରାମାଞ୍ଚଳରୁ ଲକ୍ଷାଧିକ ଟଙ୍କାର ର୍ଦୁମୁଲ୍ୟ କାଠ କାଟି ବାହାରକୁ ପଠାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦେଖାଦେଇଛି। କାଠ ମାଫିଆମାନେ ନିର୍ଭୟରେ ଦିନକୁ ଦିନ ସେମାନଙ୍କର କାରାନାମା ବଢାଇବାରେ ଲାଗିଛନ୍ତି। ତେବେ ଏ ଅଞ୍ଚଳରେ ଚାଲିଥିବା ବେଆଇନ କରତ କଳ ଓ ଚୋରା କାଠ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଉକ୍ତ ଅଞ୍ଚଳ ବୃକ୍ଷ ଶୂନ୍ୟ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।
Comments are closed.