ଅବହେଳିତ ବ୍ରାହ୍ମଣୀଦେବୀ ପୀଠ, ସାଧାରଣରେ ଅସନ୍ତୋଷ
ବେଗୁନିଆ : ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଆଖୁପଦର ଗ୍ରାମର ଆରାଧ୍ୟ ଦେବୀ ମା ବ୍ରାହ୍ମଣୀ ଦେବୀଙ୍କ ପୀଠ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମ ତଥା ଆଖ ପାଖ ଅଞ୍ଚଳର ଏହି ଠାକୁରାଣୀ ଆସ୍ଥା ଓ ବିଶ୍ୱାସର ପ୍ରତୀକ। କାହିଁ କେଉଁ କାଳରୁ ରହି ଆସିଛି ଏହି ଛୋଟିଆ ମନ୍ଦିର। ଦଶହରାଠାରୁ ଆରମ୍ଭ କରି ବିଭିନ୍ନ ପୂଜା ମହୋତ୍ସବରେ ଏଠାରେ ଲୋକମାନଙ୍କର ସମାଗମ ହୋଇଥାଏ। ବିଶେଷତଃ ଦଶହରା ସମୟରେ ଏଠାରେ ଆଡମ୍ବର ସହ ଠାକୁରାଣୀ ପର୍ବ ପାଳନ କରାଯାଉଥିବାବେଳେ ବହୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଭିଡ ଜମିଥାଏ। କିନ୍ତୁ ଏଠାରେ ଭକ୍ତ ମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ଠାକୁରାଣୀଙ୍କ ପୀଠକୁ ଯିବା ପାଇଁ ଥିବା ରାସ୍ତା ୨୦ବର୍ଷ ତଳେ ନିର୍ମାଣ କରାଯାଇଥିବା ବେଳେ ତା ଭିତରେ ମାଟି ଗଣ୍ଡୁଆଏ ମଧ୍ୟ ପଡିନି ଫଳରେ ରାସ୍ତାରୁ ମେଟାଲ ଉଠି ଯିବା ଯୋଗୁଁ ଲୋକମାନେ ଏବେ ସମ୍ପୃକ୍ତ ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହେଉନାହିଁ । ଏହା ଏକ ବହୁ ପୁରାତନ ମନ୍ଦିର ହୋଇଥିଲେ ମଧ୍ୟ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ମାନଙ୍କର ଦୃଷ୍ଟି ନପଡିବା ପରିତାପର ବିଷୟ। ଏପରିକି ଏଠାରେ ଭକ୍ତ ମାନେ ଖରା ବର୍ଷାରେ ଆଶ୍ରୟ ନେବା ପାଇଁ କୌଣସି ସୁବିଧା ନଥିବାବେଳେ ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଠାକୁରାଣୀ ପୀଠକୁ ଆସି ଅକଥନୀୟ ଅବସ୍ଥା ଭୋଗ କରୁଛନ୍ତି । ତେଣୁ ପୀଠକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ କରିବା ସହିତ ଭକ୍ତମାନଙ୍କ ବିଶ୍ରାମ ପାଇଁ ଗୃହ ନିର୍ମାଣ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
Comments are closed.