ଅନିଶ୍ଚିତତାରେ ନିଟ୍-ପିଜି କୃତୀ ଛାତ୍ରଙ୍କ ଭାଗ୍ୟ
ସ୍ବାସ୍ଥ୍ୟ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି
କଟକ : ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲୁଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅପାରଗତା ଯୋଗୁଁ ନିଟ୍-ପିଜି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ରାଜ୍ୟରେ ନାମ ଲେଖାଇବାରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ରାଜ୍ୟରେ ନିଟ୍-ପିଜି ପରୀକ୍ଷାର କୃତୀ ବିଦ୍ୟାର୍ଥୀଙ୍କୁ ନାମ ଲେଖାଇବାକୁ ସୁଯୋଗ ମିଳୁଥିବାବେଳେ ସ୍ବାସ୍ଥ୍ୟ ଓ ତାଲିମ ନିର୍ଦେଶକଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ଦିଗରେ ସରକାର ସମୟୋଚିତ ପଦକ୍ଷେପ ନ ନେଲେ ଏକାଧିକ ମେଧାବୀ ଛାତ୍ରଛାତ୍ରୀ ଅନ୍ୟ ପ୍ରଦେଶକୁ ଚାଲିଯିବାର ଆଶଙ୍କା ରହିଛି। ସର୍ବଭାରତୀୟ ନିଟ୍ ପରୀକ୍ଷାରେ ସଫଳତା ପାଉଥିବା ବିଦ୍ୟାର୍ଥୀମାନେ ମେଡିକାଲ କଲେଜରେ ଉଭୟ ଏମ୍ବିବିଏସ୍ ଏବଂ ପିଜି ପାଠ୍ୟକ୍ରମରେ ନାମ ଲେଖାଇଥାନ୍ତି। ଚଳିତବର୍ଷ ମେଡିକାଲ କଲେଜରୁ ହାଉସସର୍ଜନ ଶେଷ କରି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ବିଦ୍ୟାର୍ଥୀଙ୍କୁ କିନ୍ତୁ ରାଜ୍ୟ ସରକାର ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ସୁଯୋଗରୁ ବଞ୍ଚିତ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଏମ୍ବିବିଏସ୍ ପରି ମେଡିକାଲ କଲେଜର ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏନ୍ବିଇଏମ୍ଏସ୍(ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ ଇନ ମେଡିକାଲ ସାଇନ୍ସ) ପକ୍ଷରୁ ପ୍ରତିବର୍ଷ ନିଟ୍-ପିଜି ପରୀକ୍ଷା ହୋଇଥାଏ। ସର୍ବଭାରତୀୟସ୍ତରରେ ହେଉଥିବା ଏହି ପରୀକ୍ଷା ନେଇ ଫେବୃଆରୀ ୪ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ଜୁଲାଇ ୩୧ସୁଦ୍ଧା ହାଉସସର୍ଜନ ତାଲିମ ଶେଷ କରିଥିବା ଏମ୍ବିବିଏସ୍ ବିଦ୍ୟାର୍ଥୀମାନେ ନିଟ୍-ପିଜି ପରୀକ୍ଷା ଦେଇପାରିବେ। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜରେ ଏହି ସମୟସୀମା ମଧ୍ୟରେ ହାଉସସର୍ଜନ ଶେଷ କରିଥିବା ଶତାଧିକ ବିଦ୍ୟାର୍ଥୀ ନିଟ୍-ପିଜି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ କିନ୍ତୁ ରାଜ୍ୟ ସରକାର ମେଡିକାଲ କଲେଜରେ ନାମ ଲେଖାଇପାରିବେ ନାହିଁ ବୋଲି କହିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ତାଲିମ ନିର୍ଦେଶକ(ଡିଏମଇଟି) ଏନ୍ବିଇଏମ୍ଏସ୍ର ନିର୍ଦେଶ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରି ନ ଥିଲେ। ୨୦୨୨ ମାର୍ଚ୍ଚ ୩୧ସୁଦ୍ଧା ହାଉସସର୍ଜନ ତାଲିମ ଶେଷ କରିଥିବା ବିଦ୍ୟାର୍ଥୀ ଓ ଇନସର୍ଭିସଙ୍କୁ ନିଟ୍-ପିଜି ପରୀକ୍ଷାରେ କୃତକାର୍ଯ୍ୟ ବିଦ୍ୟାର୍ଥୀଙ୍କୁ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଡିଏମଇଟିଙ୍କ ପକ୍ଷରୁ ଜୁନ ୧୬ରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଉକ୍ତ ବିଜ୍ଞପ୍ତିରେ ତ୍ରୁଟି ସଂଶୋଧନ କରା ନ ଯାଇ ଜୁଲାଇ ୩୧ ବଦଳରେ ମେ ୩୧ସୁଦ୍ଧା ହାଉସସର୍ଜନ/ ଚାକିରିର ୩ବର୍ଷ ପୂରଣ କରିଥିବା ଇନସର୍ଭିସ ନିଟ୍-ପିଜି ପରୀକ୍ଷାରେ ସଫଳ ହୋଇଥିବା ଆଶାୟୀ ପିଜି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଡିଏମ୍ଇଟିଙ୍କ ପକ୍ଷରୁ ଏଭଳି ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ସଂକ୍ରାନ୍ତରେ ବହୁ ମେଧାବୀ ବିଦ୍ୟାର୍ଥୀ ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟସଚିବ, ଡିଏମଇଟିଙ୍କୁ ଭେଟି ସମସ୍ୟା ଜଣାଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦେଶ ଆଳରେ ଏନବିଇଏମଏସ ବିଜ୍ଞପ୍ତି ଅନୁଯାୟୀ ନିଟ୍-ପିଜି କୃତୀ ବିଦ୍ୟାର୍ଥୀଙ୍କୁ ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ଦେଇ ନ ଥିଲେ। ସବୁଠାରୁ ନିରାଶ ହେବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଉକ୍ତ ମାମଲାର ବିଚାରକରି ଡିଏମଇଟିଙ୍କ ଏପରି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଓ ଏନବିଇଏମଏସ ବିଜ୍ଞପ୍ତି ଅନୁଯାୟୀ ନିଟ୍-ପିଜି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ହାଉସସର୍ଜନ ବିଦ୍ୟାର୍ଥୀଙ୍କୁ ନାମ ଲେଖାଇବା ପାଇଁ ସୁଯୋଗ ଦେବାକୁ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ କଡା ନିର୍ଦେଶ ପରେ ଡିଏମଇଟି ପକ୍ଷରୁ ଶେଷରେ ଜୁଲାଇ ୩୧ସୁଦ୍ଧା ହାଉସସର୍ଜନ ତାଲିମ ଶେଷ କରିଥିବା ବିଦ୍ୟାର୍ଥୀମାନେ ନିଟ୍-ପିଜି ପରୀକ୍ଷାର କୃତୀ ବିଦ୍ୟାର୍ଥୀ ପିଜି ପାଠ୍ୟକ୍ରମରେ ନାମ ଲେଖାଇପାରିବେ ବୋଲି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଥିବା ସୂଚନା ମିଳିଛି।
Comments are closed.