ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ସରିଫଙ୍କ ଆବେଦନ

0

ଇସ୍‍ଲାମାବାଦ : ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କାରାଗାରରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍, ତାଙ୍କ ଝିଅ ଏବଂ ଜ୍ୱାଇଁ ସୋମବାର ଦଣ୍ଡାଦେଶ ବିରୋଧରେ ଇସ୍‍ଲାମାବାଦ୍‍ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଏଥିସହ ସେମାନେ ଜାମିନ ପାଇଁ ମଧ୍ୟ ଆବେଦନ କରିଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ସୂଚନା ମୁତାବକ ତଳକୋର୍ଟଙ୍କ ନିଷ୍ପତ୍ତିରେ ଆଇନଗତ ତ୍ରୁଟି ରହିଥିବା ଦର୍ଶାଇ ତାହାକୁ ରଦ୍ଦ କରିବାକୁ ସରିଫ୍‍ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ସେହିଭଳି ସରିଫଙ୍କ ବିରୋଧରେ ରହିଥିବା ଦୁର୍ନୀତି ସମ୍ବନ୍ଧୀୟ ଅନ୍ୟ ଦୁଇଟି ମାମଲାର ଶୁଣାଣି ଆଡିଆଲା ଜେଲ୍‍ ପରିସରରେ ହେବା ନିଷ୍ପତ୍ତି ବିରୋଧରେ ମଧ୍ୟ ଏକ ଆବେଦନ ହୋଇଛି। ମାମଲାକୁ ଅନ୍ୟ ତଳକୋର୍ଟକୁ ସ୍ଥାନାନ୍ତର କରିବାକୁ ନିବେଦନ କରାଯାଇଛି। ଏହି ମାମଲାର ଶୁଣାଣି କରିଥିବା ତଳକୋର୍ଟ ବିଚାରପତି ମହମ୍ମଦ ବଶିର ବିଭିନ୍ନ ପ୍ରସଙ୍ଗ ଉପରେ ସାର୍ବଜନୀନ ଭାବେ ନିଜ ରାୟ ଉପସ୍ଥାପନ କରିସାରିଛନ୍ତି ବୋଲି ପ୍ରତିପକ୍ଷ ଓକିଲ ଯୁକ୍ତି ବାଢିଛନ୍ତି। ଲଣ୍ଡନରେ ଚାରୋଟି ବିଳାସପୂର୍ଣ୍ଣ ବଙ୍ଗଳା କ୍ରୟ ସମ୍ବନ୍ଧୀୟ ଦୁର୍ନୀତି ମାମଲାରେ ପାକିସ୍ତାନର ଏକ କୋର୍ଟ ଜୁଲାଇ ୪ରେ ୬୮ ବର୍ଷ ବୟସ୍କ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରିଫ୍‍ ଏବଂ ତାଙ୍କ ଝିଅଙ୍କୁ ଯଥାକ୍ରମେ ୧୦ବର୍ଷ ଏବଂ ୭ ବର୍ଷ କାରାଦଣ୍ଡାଦେଶ ହୋଇଥିଲା। ଶୁକ୍ରବାର ଲଣ୍ଡନରୁ ଫେରି ଲାହୋର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏବେ ସେମାନେ ରାୱାଲପିଣ୍ଡିର ଆଡିଆଲା ଜେଲ୍‍ରେ ବନ୍ଦୀ ଅଛନ୍ତି।

Leave A Reply