ନବୀନଙ୍କୁ ଜାତିସଂଘ ମହିଳା ସଙ୍ଗଠନର ପ୍ରଶଂସା

0

ଭୁବନେଶ୍ୱର :ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଜାତିସଂଘ ମହିଳା ସଙ୍ଗଠନ(ୟୁଏନ ଓମେନ) ପକ୍ଷରୁ ପ୍ରଶଂସା କରାଯାଇଛି। ଏଥିପାଇଁ ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ସଙ୍ଗଠନର ଡେପୁଟି କଣ୍ଟ୍ରୀ ରିପ୍ରେଜେଣ୍ଟେଟିଭ ନିସ୍ଥା ସତ୍ୟମ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପତ୍ର ଲେଖି ଖୁସି ପ୍ରକଟ କରିଛନ୍ତି। ଏଭଳି ଉଦ୍ୟମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।
ସେ ଉଲ୍ଳେଖ କରିଛନ୍ତି ଯେ ଏହା ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ଆଲୋଚନାକୁ ଅଧିକ ବଳିଷ୍ଠ କରିବା ସହ ସଂସଦରେ ଏ ସମ୍ପର୍କିତ ଆଇନ ପ୍ରଣୟନ କ୍ଷେତ୍ରରେ ସହାୟକ ହେବ। ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ସମ୍ପର୍କିତ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଏବଂ ଏ ଦିଗରେ ସେ ନେଇଥିବା ପଦକ୍ଷେପକୁ ୟୁଏନ ଓମେନ ପକ୍ଷରୁ ଉଚ୍ଚପ୍ରଶଂସା କରାଯାଇଛି।
ଦେଶ ଓ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥାରେ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସାମିଲ କରାଗଲେ ସାମାଜିକ ଓ ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ। ମହିଳାମାନେ ସେମାନଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିବା ବେଳେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ୟୁଏନ ଓମେନ ମହିଳାଙ୍କ ସାମର୍ଥ୍ୟ ବୃଦ୍ଧି ସହ ଲିଙ୍ଗଗତ ସମସ୍ୟାର ସମାଧାନ ପାଇଁ ପ୍ରଚାର ପ୍ରସାର ଜରିଆରେ ବ୍ୟାପକ ଉଦ୍ୟମ ଚଳାଇ ଆସୁଛି। ମହିଳା ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ହଟାଇବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି।
ଜାତିସଂଘ ମହିଳା ସଙ୍ଗଠନ ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଚାଲିଥିବା କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ପାଇଁ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଏହି ସହଯୋଗକୁ ଆଗକୁ ଜାରି ରଖିବା ନେଇ ସେ ଇଚ୍ଛା ପ୍ରକଟ କରିଛନ୍ତି। ଯାହା ଫଳରେ ମହିଳା ସଶକ୍ତୀକରଣ ଏବଂ ଏକ ବିକଶିତ ସମାଜ ଗଠନ କ୍ଷେତ୍ରରେ ରଖାଯାଇଥିବା ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସରେ ଏ ସଂକ୍ରାନ୍ତ ସର୍ବସମ୍ମତ ସଙ୍କଳ୍ପ ବିଧାନସଭାରେ ପାରିତ ହୋଇ କେନ୍ଦ୍ରକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ, ବିଭିନ୍ନ ଦଳର ମୁଖ୍ୟ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସମର୍ଥନ ଆଶା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବିଜେଡିର ପ୍ରତିନିଧିମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳକୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ଲୋଡ଼ିଛନ୍ତି।

kalyan agarbati
Leave A Reply