Patra electronics

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଓ ଅର୍ଚ୍ଚନା କାରନାମା ପ୍ରସଙ୍ଗ : ୩୧ରେ ନବୀନ ନିବାସ ଘେରିବ ବିଜେପି

ଭୁବନେଶ୍ୱର : ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଓ ଅର୍ଚ୍ଚନା ନାଗ କାରନାମା ପ୍ରସଙ୍ଗରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। କମିସନରେଟ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଦିନ ଧରି ସତ୍ୟାଗ୍ରହ ଚଳାଇଥିବାବେଳେ ଆସନ୍ତା ୩୧ରେ ନବୀନ ନିବାସ ଘେରାଉ କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପ୍ରସଙ୍ଗରେ ଅଭିଯୁକ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ତ୍ବେ ଶାସକ ବିଜେଡିର ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସେହିପରି ଅର୍ଚ୍ଚନା ନାଗ କାରନାମାରେ ବିଜେଡିର ବହୁ ରାଜନେତାଙ୍କ ସଂପୃକ୍ତି ଥିବାରୁ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୁଲିସ ଚୁପ୍ ବସିଛି। ପ୍ରଭାବଶାଳୀ ମନ୍ତ୍ରୀ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ। ଆଗାମୀ ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରା ନ ଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ୩୧ରେ ବିଜେପି ତରଫରୁ ନବୀନ ନିବାସ ଘେରାଉ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ଅବସରରେ ବରିଷ୍ଠ ନେତ୍ରୀ ସୁରମା ପାଢୀ ସରକାରଙ୍କୁ ନିଶାଣ କରି କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ଖାଲି ପଡିଥିବାବେଳେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହାର ଉତ୍ତର ରଖିବେ କି ? ସେ କହିଛନ୍ତି ଯେ, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଭଲରେ ଶୁଣି ନ ଥିବା ପରି ମନେହେଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ବିଧାନସଭାରେ ଦେଇଥିବା ତଥ୍ୟାନୁସାରେ ରାଜ୍ୟରେ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାରରୁ ଊର୍ଦ୍ଧ୍ୱ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ କେବଳ ସ୍କୁଲ ଓ ଗଣଶିକ୍ଷାରେ ୬୧,୮୩୬ଟି ଓ ଉଚ୍ଚଶିକ୍ଷା ବିଭାଗରେ ୧୧,୫୨୨ ପଦ ଖାଲିପଡ଼ିଥିବାବେଳେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗରେ ୩,୧୦୬ ପଦ ଏବଂ ସ୍ୱାସ୍ଥ୍ୟ ବିଭାଗରେ ୩୬ ହଜାରରୁ ଊର୍ଦ୍ଧ୍ୱ ପଦ ଖାଲି ରହିଛି।

Comments are closed.