ବାଲିଚନ୍ଦ୍ରପୁର: ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥରେ ହୋଇଥିବା ଖାଲ ଏବେ ପଥଚାରୀମାନଙ୍କ ପାଇଁ ମରଣଜନ୍ତା ପାଲଟିଥିବା ଦେଖାଯାଇଛି। ଏହି ଜାତୀୟ ରାଜପଥରେ ହୋଇଥିବା ବଡ ବଡ ଖାଲ ଦୈନିକ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ଲକ୍ଷ କରାଯାଇଛି। ଯାହାକୁ ନେଇ ଏହି ଜାତୀୟ ରାଜପଥର ଯା ଆସ କରୁଥିବା ପଥଚାରୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋସ ବୃଦ୍ଧି ପାଇଛି। ଏହି ରାଜପଥର ଚଣ୍ଡିଖୋଲ ଠାରୁ ଆରମ୍ଭ କରି ପାରାଦ୍ୱୀପ ପର୍ୟ୍ୟନ୍ତ ରାଜପଥ ସମ୍ପୁର୍ଣ୍ଣ ଶୋଚନୀୟ ହୋଇପଡିଛି। ଉଦାହରଣ ଭାବେ ଚଣ୍ଡିଖୋଲ ଠାରୁ ବାଲିଚନ୍ଦ୍ରପୁର ୧୪ କମି ମଧ୍ୟରେ ପାଖା ପାଖି ୩୦ ଗୋଟି ଖାଲ ସୃଷ୍ଟି ହୋଇଛି। ବିଶେଷ କରି ପୋଲ ମାନଙ୍କରେ ବେଶି ଖାଲ ଖମା ସୃଷ୍ଟି ହୋଇଛି। ଖାଲ ଯୋଗୁଁ ବାଇକ ଓ ସାଇକେଲ ଆରୋହୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି।
ରାଜପଥର ନାନପୁର ପୋଲ ନିକଟରେ ଦୁଇ ଫୁଟ୍ ଗାତ ହୋଇଛି। ଯଦି କେହି ବାହାର ଅଞ୍ଚଳର ବାଇକ ଆରୋହୀ ଦୃତ ଗତିରେ ଏହି ରାଜପଥରେ ଆସିବ ତା ହେଲେ ତାର ମୃତ୍ୟୁମୁଖରେ ପଡିବା ସମ୍ଭବନା ଅଧିକ ରହିଛି। କାହିଁକି ନା ସେ ଗାତ ସମ୍ପର୍କରେ ଅବଗତ ନଥିବାରୁ ଦୃତ ଗତିରେ ଆସି ଖାଲରେ ପଡିବା ଥୟ। ବାଲିଚନ୍ଦ୍ରପୁର ଛକ ନିକଟରେ ଲମ୍ଭା ଭାବରେ ଖାଲ ସୃଷ୍ଟି ହୋଇଥିବାରୁ ରାଜପଥ ପାର୍ଶ୍ବରେ ଥିବା ଦୋକାନୀ ମାନେ ଆଶଙ୍କାରେ ରହିଛନ୍ତି କେତେ ବେଳେ ଯେ ଭାରିଯାନ ଗୁଡିକ ଖାଲରେ ପଡି ଦୋକାନ ଉପରେ ମାଡି ଯିବ ତାହା କହିହେବ ନାହିଁ। ପଟ୍ଟାମୁଣ୍ଡାଇ କେନାଲ ପୋଲ ଓ ଗୋବରୀ ପୋଲର ଅବସ୍ଥା ମଧ୍ୟ ସମାନ। ନାନପୁର ଠାରେ ହୋଇଥିବା ଖାଲ ଯୋଗୁଁ ଦୈନିକ ଦୁର୍ଘଟଣା ଘଟି ଚାଲିଛି। ଏପରିକି ଚାରିଚକିଆ ଯାନ ମଧ୍ୟ ଏଠାରେ ଦୁର୍ଘଟଣାଗ୍ରସ୍ତ ହେଉଛି। ଖାଲ ଯୋଗୁଁ ଲୁହାପଥର ନେଇ ଯାଉଥିବା ଭାରି ଯାନ ମଧ୍ୟ ଖାଲରେ ପଡି ଦୁର୍ଘଟଣାଗ୍ରସ୍ତ ହେବା ସହ ଯନ୍ତ୍ରାଂଶ ଭାଙ୍ଗି ରାସ୍ତା ଉପରେ ଛିଡା ହୋଇ ହେୁଛନ୍ତି। ଏଥିପ୍ରତି କାହାର ନଜର ନାହିଁ। ଜାତୀୟ ରାଜପଥ ପ୍ରାଧିକରଣ ଟୋଲ ଆଦାୟ କରିବାକୁ ପଛଘୁଞ୍ଚା ଦେଉନଥିବା ବେଳେ ରକ୍ଷଣାବେକ୍ଷଣ ବେଳକୁ ନିଦାବିଷ୍ଣୁ ସାଜୁଛନ୍ତି। ରାଜ୍ୟର ଅନ୍ୟ ଟୋଲଗେଟରେ ଆଦାୟ କରୁଥିବା ଟୋଲ ଟ୍ୟାକ୍ସ ଠାରୁ ଏହି ଜାତୀୟ ରାଜପଥର ଶ୍ରୀରାମପୁର ଠାରେ ଥିବା ଟୋଲ୍ ଗେଟରେ ଟୋଲ ଟ୍ୟାକ୍ସ ସବୁଠୁ ଅଧିକ ହୋଇଥିବା ବେଳେ ଏହି ଜାତୀୟ ରାଜପଥରେ ଖାଲ ସଂଖ୍ୟା ମଧ୍ୟ ଅଧିକ। ଟୋଲ୍ ଟ୍ୟାକ୍ସ କାହିଁକି ଅଧିକ ପଚାରିବା ସମୟରେ ଏହା ରାଜ୍ୟର ସବୁଠୁ ଲମ୍ବା ରାଜପଥ ବୋଲି ଟୋଲ ନେଉଥିବା କର୍ମଚାରୀ ମାନେ କୁହନ୍ତି। ଶ୍ରୀରାମପୁର ଟୋଲ ଗେଟରେ ବାର୍ଷିକ କୋଟି କୋଟି ଟଙ୍କା ଟୋଲ ଆଦାୟ କରିବାରେ ଜାତୀୟ ରାଜପଥ ପ୍ରାଧିକରଣ ହେଳା କରୁ ନ ଥିବା ବେଳେ ମରାମତି କରିବାକୁ ହେଳା କାହିଁକି ବୋଲି ପଥଚାରୀ ମାନେ ପ୍ରଶ୍ନ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ନିୟମ ଅନୁଯାୟୀ କୌଣସି ରାଜପଥରେ ଖାଲ ଖମା ରହିବା କଥା ନୁହେଁ। ଖାଲ ସୃଷ୍ଟିହେବା ମାତ୍ରେ ମରାମତି କରାଯିବାର ନିୟମ ରହିଥିଲେ ସୁଧା ସେ ସବୁ ନିୟମ କାଗଜ ପତ୍ରରେ ଚାଲିଛି। ଏଠାରେ ସବୁ ନିୟମ ଯେମିତି ଅଚଳ ହୋଇପଡିଛି। ଏହି ରାଜପଥ ପଇଁ କୌଣସି ନିୟମ କାର୍ୟ୍ୟକାରୀ ହେଉନଥିବା ବେଳେ ବର୍ଷ ବର୍ଷ ଧରି ଖାଲ ସୃଷ୍ଟି ହେଉଥିଲେ ମଧ୍ୟ ତାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସୁନାହିଁ। ତୁରନ୍ତ ଏହାର ମରାମତି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକ ସୁବ୍ରତ୍ କୁମାର ନାଗଙ୍କୁ ପଚାରିବାରେ ଜାତୀୟ ରାଜପଥ ମରାମତି ଦାଇତ୍ୱରେ ଥିବା ଠିକାଦାରଙ୍କର କାର୍ୟ୍ୟକାଳ ପୁରିଯାଇଥିଲା। ନୁତନ ଠିକାଦାର ନିଯୁକ୍ତି ହୋଇଛନ୍ତି। ଖୁବ୍ ଶୀଘ୍ର ମରାମତି କାର୍ୟ୍ୟ କରାଯିବ ବୋଲି ସେ କହିଛନ୍ତି।



