www.samajalive.in
Monday, December 15, 2025
24.1 C
Bhubaneswar

ମତଦାତାଙ୍କ ପାଖରେ ୨ଟି ଭୋଟର ପରିଚୟପତ୍ର, ମତଦାନ ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ

ନନ୍ଦପୁର: ଜଣେ ଭାରତୀୟ ନାଗରିକଙ୍କ ପାଖରେ ଦୁଇଟି ଭୋଟର ପରିୟପତ୍ର। ପୁଣି ଭୋଟର ପରିଚୟପତ୍ରରେ ଆଧାରକାର୍ଡ ଲିଙ୍କ ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁଣି ଜଣେ ବ୍ୟକ୍ତିଙ୍କ ପାଇଁ ସରକାରୀ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପଞ୍ଚାୟତଗୁଡ଼ିକର ଗ୍ରାମବାସୀଙ୍କ ନିକଟରେ ଦୁଇ ରାଜ୍ୟ ଆନ୍ଧ୍ର-ଓଡିଶାର ଭୋଟର କାର୍ଡ ରହିଛି। ସେମାନଙ୍କୁ କିଭଳି ୨ଟି ରାଜ୍ୟର ଭୋଟର ପରିଚୟପତ୍ର ଦିଆଯାଇଛି ତାହାର ତଦନ୍ତ ନ କରି ଉଭୟ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାର ସେମାନେ କିଭଳି ମତଦାନ କରିବେ ସେଥିପାଇଁ ଉଦ୍ୟମ ଜାରି ରଖିଛନ୍ତି।

ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପଞ୍ଚାୟତଗୁଡ଼ିକର ଗ୍ରାମବାସୀଙ୍କ ନିକଟରେ ଦୁଇ ରାଜ୍ୟ ଆନ୍ଧ୍ର-ଓଡିଶାର ଭୋଟର କାର୍ଡ ରହିଛି। ଦୁଇ ରାଜ୍ୟର ନିର୍ବାଚନ ଗୋଟିଏ ଦିନରେ ରହିଛି। ଦ୍ବୈତ ମତଦାତା ସାଜିଥିବା ସୀମାନ୍ତବାସୀ କେଉଁ ରାଜ୍ୟର ବୁଥ୍‌ରେ ଭୋଟ ଦେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ସବୁ ଅଞ୍ଚଳ ଓଡ଼ିଶାର ପଟାଙ୍ଗି ବିଧାନସଭା କ୍ଷେତ୍ର ଅଧୀନରେ ଥିବାବେଳେ ଆନ୍ଧ୍ରପ୍ରଦେଶର ଆରକୁ ବିଧାନସଭା କ୍ଷେତ୍ର​ରେ ପ୍ରାର୍ଥୀମାନେ ଏବେଠାରୁ ପ୍ରଚାର ଆରମ୍ଭ କଲେଣି। ଆନ୍ଧ୍ର ପ୍ରାର୍ଥୀଙ୍କ କର୍ମୀ ସୀମା ଡେଇଁ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରଚାର କରୁଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କୁ ପାରିବାରିକ ସମ୍ପର୍କ, ବ୍ୟବସାୟିକ ସମ୍ପର୍କ ଓ ଆନ୍ଧ୍ରର ବିକାଶ ଦ୍ୱାହି ଦେଇ ଆନ୍ଧ୍ର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପ୍ରଲୋଭିତ କରୁଛନ୍ତି ସେପଟର ରାଜନୈତିକ ଦଳ।

- Advertisement -

ଅନ୍ୟପଟେ ନନ୍ଦପୁର ବ୍ଲକ ଓ କୋରାପୁଟ ଜିଲା ପ୍ରଶାସନ ନିର୍ବାଚନ ଲାଗି କେବଳ ବୁଥଗୁଡ଼ିକର ନାମ ଘୋଷଣା କରି ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିଳିଛି। ସୀମାନ୍ତରେ ବସବାସ କରୁଥିବା କିଛି ସଚେତନ ଭୋଟର କେଉଁ ରାଜ୍ୟର ବୁଥ୍‌କୁ ଯାଇ ମତଦାନ ସାବ୍ୟସ୍ତ କରିବେ ବୋଲି ଚିନ୍ତା କରୁଥିବା କହିଛନ୍ତି। ନନ୍ଦପୁର ବ୍ଲକ ସୀମାନ୍ତ ବିଲାପୁଟ ପଞ୍ଚାୟତର ଜୋଲାପୁଟରେ ଓଡ଼ିଶା ପ୍ରଶାସନ ତରଫରୁ ନିର୍ବାଚନ ଲାଗି ବୁଥ୍‌ ପ୍ରତିଷ୍ଠା କରାଯାଇଥିବା ବେଳେ ସୀମା ଆରପଟେ ଥିବା ମୁଚିଙ୍ଗପୁଟରେ ଆନ୍ଧ୍ରର ବୁଥ୍‌ ରହିଛି। ସେହିଭଳି ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ନିକଟରେ ଆନ୍ଧ୍ରର ପେଦାବାଇଲି ଓ ସୁଡୁବ ନିକଟରେ ଆନ୍ଧ୍ରର ଆଡ୍ରାକୋଟା ବୁଥ୍‌ ରହିଛି। ଗୋଲୁର ପଞ୍ଚାୟତର ରାଇପାହାଡ଼ ଆରପଟେ ଆନ୍ଧ୍ରର କଣ୍ଡ୍ରୁମ ବୁଥ, ଚାଟୁଆ ପଞ୍ଚାୟତ ସଦର ମହକୁମା ପାଖରେ ଆନ୍ଧ୍ରର ଗୋରାପୁର ବୁଥ୍‌ ଓ ଖିନବର ପଞ୍ଚାୟତର ଘାଟିଗୁଡା ନିକଟରେ ଆନ୍ଧ୍ରର ମାଳିପୁଟ ବୁଥ୍‌ ରହିଛି। ବିଶେଷ କରି ଓଡ଼ିଶା ଅଧୀନ ଗ୍ରାମଗୁଡ଼ିକର ଲୋକଙ୍କ ନାମ ଆନ୍ଧ୍ର ଭୋଟ୍‌ର ତାଲିକାରେ ରହିଛି।

ଆନ୍ଧ୍ର ତରଫରୁ ସୀମାନ୍ତ ଓଡ଼ିଶାବାସୀଙ୍କୁ ଭୋଟରକାର୍ଡ ପ୍ରଦାନ କରାଯାଇଛି। ପୂର୍ବ ନିର୍ବାଚନ ଗୁଡ଼ିକରେ ନିର୍ବାଚନ ତାରିଖ ଅଲଗା ଅଲଗା ରହୁଥିଲା। ସୀମାନ୍ତ ଗ୍ରାମବାସୀ ଦୁଇ ରାଜ୍ୟ ନିର୍ବାଚନରେ ଭାଗ ନେଇଥିବା କୁହାଯାଉଛି। ଏ ଅଞ୍ଚଳବାସୀ ଦୁଇ ରାଜ୍ୟର ଆଧାର, ଭୋଟର, ରାସନକାର୍ଡ, ଭତ୍ତା, ବ୍ୟାଙ୍କ, ଜମିପଟ୍ଟା ଭଳି ସୁବିଧା ହାସଲ କରୁଥିଲେ। ୨୦୨୪ ନିର୍ବାଚନ ଗୋଟିଏ ତିଥିରେ ଥିବାରୁ ସୀମାନ୍ତ ବାସିନ୍ଦାଙ୍କ ସମେତ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ନନ୍ଦପୁର ବ୍ଲକ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି। ଗୋଟିଏ ପଟେ ଆନ୍ଧ୍ର ପ୍ରାର୍ଥୀଙ୍କ ପ୍ରଚାର ଓ ସରକାରଙ୍କ ପ୍ରଲୋଭନ ଥିବା ବେଳେ ଅନ୍ୟପଟେ ନିଜ ରାଜ୍ୟ ରହିଛି। ତେଣୁ ସମସ୍ତ ଭୋଟର ନିଜେ ଆତ୍ମସମୀକ୍ଷା କରନ୍ତୁ ବୋଲି ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା, ତହସିଲଦାର ଅନାଦି ଚରଣ ସାହୁ, ଏସ୍‌ଡ଼ିପିଓ ସମ୍ବିତ କୁମାର ମାଝୀ କହିଛନ୍ତି। ବ୍ଲକ ପ୍ରଶାସନ ତରଫରୁ ସୀମାନ୍ତରେ ଅନୁପ୍ରବେଶ ରୋକିବା ଲାଗି ଥିବା ପ୍ରବେଶପଥ ଗୁଡିକରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପଞ୍ଚାୟତଗୁଡ଼ିକର ନିର୍ବାଚିତ ପ୍ରତିନିଧି, ବିଭିନ୍ନ ବିଭାଗ ସରକାରୀ କର୍ମଚାରୀ, ମହିଳା ଗୋଷ୍ଠୀ ସଦସ୍ୟଙ୍କ ଜରିଆରେ ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଦୋମୁହାଁ ନୀତି ନ ଆପଣାଇବାକୁ ପରାମର୍ଶ ଦିଆଯିବ ବୋଲି ଏହି ତିନି ଅଧିକାରୀ ସୂଚନା ଦେଇଛନ୍ତି। ସୀମାନ୍ତବାସୀ ସ୍ୱାଭିମାନୀ ହେବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories