ନବରଙ୍ଗପୁରରେ ମିଶ୍ରଣ ପର୍ବ: ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ପୌର ପରିଷଦ ପ୍ରାର୍ଥୀ
ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ପରେ ଏହି ଦଳ ପ୍ରତି ଅନ୍ୟଦଳର ନେତା ଓ କର୍ମୀଙ୍କର ଆକର୍ଷଣ ବଢୁଛି। ଚଳିତ ପୈାର ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଛି। ଶନିବାର ନବରଙ୍ଗପୁର ପୌରାଞ୍ଚଳର ବହୁ କଂଗ୍ରେସ ନେତା ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ନବରଙ୍ଗପୁର ନଗର କଂଗ୍ରେସ କମିଟିର ସଭାପତି ତଥା ଚଳିତ ପୌର ନିର୍ବାଚନରେ ଦଳର ଘୋଷିତ ଅଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି। ତାଙ୍କ ସହିତ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତାଜଇମ୍ରାନ ସରିଫଙ୍କର ସମେତ ବହୁ କଂଗ୍ରେସ ନେତା ଦଳ ଛାଡି ଆଜି ବିଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେଡି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି ଜିଲା ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଯୋଗଦେଇ ଆଜି ବିଜୁବାବୁଙ୍କର ୧୦୬ ତମ ପୁଣ୍ୟ ଜନ୍ମଦିବସ ଅବସରରେ ଏହି ମିଶ୍ରଣ ପର୍ବ କରାଯାଇଥିବା କହିଥିଲ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସ୍ୱଚ୍ଛ ଓ ନିର୍ମଳ ଶାସନ କାରଣରୁ ବହୁ ନେତା ଅନ୍ୟଦଳରୁ ଆସି ବିଜେଡିରେ ଯୋଗ ଦେଉଥିବା ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ। ରାଜ୍ୟ ଓ ଜିଲାର ବିକାଶକୁ ଆଗେଇ ନେବା ପାଇଁ ସମସ୍ତେ କାମ କରୁଥିବା କହିଥିଲେ।
ଗତ ପଞ୍ଚାୟତ ନିର୍ବାଚନରେ ୨୬ଟି ଜିଲା ପରିଷଦ ଆସନରୁ ୨୪ଟିରେ ବିଜୟୀ ହେବା ସହିତ ପ୍ରାୟ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟରେ ଦଳ ବିଜୟ ହେବା ପରେ ଏବେ ଜିଲାର ନବରଙ୍ଗପୁର ଓ ଉମରକୋଟ ପୌର ପରିଷଦରେ ବିଜେଡି ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରି କହିଥିଲେ। ଆଜି ନୂତନ ଭାବରେ ଦଳରେ ଯୋଗଦେଇଥିବା ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ଜିଲା ମହିଳା ଜନତାଦଳ ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲା ସାଧାଣର ସମ୍ପାଦକ ଆଶୀଷ ରଞ୍ଜନ ପଟ୍ଟନାୟକ ଓ ସରୋଜ ପାତ୍ର, ଅବିଭକ୍ତ କୋରାପୁଟ ଯୁବ ଜନତା ସଭାପତି ତାପସ ତ୍ରିପାଠୀ, ରାଜ୍ୟଛାତ୍ର ଜନତା କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା , ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର ପ୍ରମୂଖ ମଞ୍ଚାସୀନ ଥିଲେ। ସାଂସଦ ପ୍ରତିନିଧି ପ୍ରମୋଦ ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନଗର ସଭାପତି ପ୍ରମୋଦ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ କଂଗ୍ରେସର ଘୋଷିତ ପ୍ରାର୍ଥୀ ଭୀମ ହରିଜନ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ବିଜେଡି ପକ୍ଷରୁ ତାଙ୍କୁ ଚଳିତ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦବୀ ରେ ପ୍ରାର୍ଥୀ କରିବା ନେଇ ଚୁଡାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଭୀମଙ୍କୁ ସମର୍ଥନ କରି ବହୁ କଂଗ୍ରେସ ଦଳିତ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବାରୁ ଏହା ଦଳକୁ ଅଧିକ ଶକ୍ତି ଯୋଗାଇଛି।
Comments are closed.