ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ବିବରଣୀ ପର୍ୟ୍ୟବେକ୍ଷକଙ୍କ ନିକଟରେ ଦାଖଲ ପାଇଁ ପରାମର୍ଶ
ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅବାଧ, ନିରପେକ୍ଷ, ଶାନ୍ତି, ଶୃଙ୍ଖଳାର ସହିତ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମକୁ କଡାକଡି ଭାବରେ ପାଳନ କରି ନିର୍ବାଚନ ପ୍ରିକ୍ରିଆକୁ କରୋନା କଟକଣା ମଧ୍ୟରେ ସହଯୋଗପୂର୍ଣ୍ଣ ମନ ଭାବନେଇ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ଥିବା ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ନିର୍ବାଚନ ଖର୍ଚ୍ଚ ସମ୍ୱନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନ ଖର୍ଚ୍ଚପର୍ୟ୍ୟଵେକ୍ଷକ ରାଜକିଶୋର ପଲେଇ ଯୋଗଦେଇ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ପ୍ରାର୍ଥୀମାନେ ତାଙ୍କର ଦୈନିନ୍ଦିନ ନିର୍ବାଚନ ଖର୍ଚ୍ଚ କରି ତାର ଖର୍ଚ୍ଚ ବିବରଣୀ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଠାରୁ ପାଇଥିବା ନିର୍ଦ୍ଧିଷ୍ଟ ଖର୍ଚ୍ଚ ରେଜିଷ୍ଟରରେ ତାର ଟିକି ନିଖି ହିସାବ ଲେଖି ଆବଶ୍ୟକ ସ୍ଥଳେ ସୂଚନା ପ୍ରାପ୍ତ ପରେ ନିର୍ଦ୍ଧାରିତ ତାରିଖରେ ଖର୍ଚ୍ଚ ପର୍ୟ୍ୟବେକ୍ଷକଙ୍କ ପାଖରେ ଦାଖଲ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାର୍ଥୀମାନେ କିପରି ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ନିର୍ବାଚନ ଖର୍ଚ୍ଚ କରିପାରିବେ ସେ ସମ୍ପର୍କ ରେ ସୂଚନା ଦେଇଥିଲେ।
ଜିଲାପାଳ ଡ. କମଳ ଲୋଚନ ମିଶ୍ର କରୋନା କଟକଣା ମଧ୍ୟରେ ଅବାଧ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ଜଣେ ଜିଲା ପରିଷଦ ପାର୍ଥୀ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରୁଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଦୁଇ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସେହିପରି ଜିଲାପରିଷଦ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ଦଶଟି ମୋଟର ସାଇକେଲ ଓ ଚାରିଟି ଚାରି ଚକିଆ ଗାଡ଼ି ବ୍ୟବହାର କରିପାରୁଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ପାର୍ଥିି ପାଞ୍ଚଟି ମୋଟର ସାଇକେଲ ଓ ଦୁଇ ଗୋଟି ଚାରିଚକିଆ ଗାଡି ନିଜର ନିର୍ବାଚନୀ ପ୍ରଚାରରେ ଲଗାଇ ପାରିବେ। ନିର୍ବାଚନୀ ଖର୍ଚ୍ଚ ସମନ୍ଧିୟ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ବାଚନ ପର୍ୟ୍ୟବେକ୍ଷକ ଶ୍ରୀ ପଲେଇ ପ୍ରାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା କୋଷାଗାର ଅଧିକାରୀ ପ୍ରେମଚାନ୍ଦ ଦାସ, ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ନିର୍ବାଚନ ମଇଦାନରେ ଲଢୁଥିବା ସମସ୍ତ ପ୍ରାର୍ଥୀମାନେ ଯୋଗ ଦେଇଥିଲେ ।
Comments are closed.