ନବଙ୍କୁ ସଦାଚାର କମିଟିର ‘କ୍ଲିନଚିଟ୍’
ଭୁବନେଶ୍ବର : ବିଧାନସଭା ଗୃହ ଭିତରେ ଅଶ୍ଲୀଳ ଭିଡ଼ିଓ ଦେଖୁଥିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ନବ କିଶୋର ଦାସଙ୍କୁ ଏକ ପ୍ରକାର ଆଶ୍ବସ୍ତି ମିଳିଛି। ଏନେଇ ସଦାଚାର କମିଟି ପକ୍ଷରୁ ଅନୁଧ୍ୟାନ ପରେ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଖାରଜ କରିବା ସହିତ ଶ୍ରୀଦାସଙ୍କୁ ‘କ୍ଲିନଚିଟ୍’ ପ୍ରଦାନ କରିଛନ୍ତି। ଆସନ୍ତା ଫେବୃଆରୀରେ ହେବାକୁ ଥିବା ବିଧାନସଭାର ବଜେଟ୍ ଅଧିବେଶନ କାଳରେ ଏନେଇ ସଦାଚାର କମିଟି ତା’ର ରିପୋର୍ଟ ଗୃହରେ ପ୍ରଦାନ କରିବ ବୋଲି ଜଣାଯାଇଛି।
୨୦୧୫ ଡିସେମ୍ବର ୧୪ ତାରିଖ ଶୀତ ଅଧିବେଶନ କାଳରେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଅଶ୍ଲୀଳ ଭିଡ଼ିଓ ଦେଖୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଥିଲେ। ଏହାକୁ ଭିତ୍ତିକରି ଏକ ଘରୋଇ ଟିଭି ଚ୍ୟାନେଲ ଖବର ପ୍ରସାରଣ କରିବା ପରେ ବିଧାନସଭାରେ ବ୍ୟାପକ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ବାଚସ୍ପତି ବିଧାୟକ ଶ୍ରୀ ଦାସଙ୍କୁ ଉକ୍ତମାସ ୧୫ତାରିଖରେ ୭ଦିନ ପାଇଁ ନିଲମ୍ବନ କରିବା ସହ ଘଟଣାର ଅନୁସନ୍ଧାନ କରିବାପାଇଁ ସଦାଚାର କମିଟିକୁ ଦାୟିତ୍ବ ଦେଇଥିଲେ।
୧୫ତାରିଖରେ ସଦାଚାର କମିଟି ବିଧାନସଭାର ସିସିଟିଭି ଫୁଟେଜ୍ ଉପରେ ଯାଞ୍ଚ କରିବାପାଇଁ ବିଧାନସଭାର କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ବିଧାୟକ ଶ୍ରୀ ଦାସ କୌଣସି ପ୍ରକାର ଅଶ୍ଲୀଳ ଭିଡ଼ିଓ ଦେଖୁଥିବା ନେଇ ଜଣାପଡି ନଥିଲା। ଏହାକୁ ନେଇ କନିଷ୍ଠ ଯନ୍ତ୍ରୀ ଲିଖିତ ଭାବେ ସଦାଚାର କମିଟିକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗତ ୧୭ତାରିଖରେ ସଂପୃକ୍ତ ଘରୋଇ ଚ୍ୟାନେଲ ସମ୍ପାଦକ ତାଙ୍କ ନିକଟରେ ଏସମ୍ପର୍କିତ କୌଣସି ସିସିଟିଭି ଫୁଟେଜ ନଥିବା ଲିଖିତ ଭାବେ କମିଟିକୁ ଜଣାଇଥିଲେ। ଉଭୟଙ୍କ ଲିଖିତ ରିପୋର୍ଟକୁ ଆଧାର କରି ସଦାଚାର କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କରାଯାଇଛି। ଆସନ୍ତା ଅଧିବେଶନରେ ଏନେଇ ଗୃହକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାଯାଇଛି।