୧ଲକ୍ଷରୁ କମ୍ ଆୟ ଥିଲେ ମିଳିବ ମାସିକ ୮୦୦ଟଙ୍କା
ଭୁବନେଶ୍ବର : ହସ୍ତଶିଳ୍ପ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କାରିଗର ସହାୟତା ଯୋଜନା ଘୋଷଣା କରିଛନ୍ତି। ହସ୍ତଶିଳ୍ପ ନିର୍ଦେଶାଳୟ ଏହି କାର୍ଯ୍ୟକ୍ରମର ନୋଡ଼ାଲ ବିଭାଗ ଭାବେ କାମ କରିବ।
ଏହି ଯୋଜନା ଅନୁଯାୟୀ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ ଆୟ ଥିବା ବରିଷ୍ଠ କାରିଗରମାନଙ୍କୁ ମାସିକ ୮୦୦ଟଙ୍କା ଲେଖାଏଁ ସହାୟତା ମିଳିବ। ୮୦ବର୍ଷରୁ ଉର୍ଦ୍ଧ୍ବ କାରିଗରମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ମିଳିବ। ଏଥିପାଇଁ ଜଣେ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଦରକାର। ହିତାଧିକାରୀ ମନୋନୟନ ନିମନ୍ତେ ଜିଲାସ୍ତରରେ ଜିଲାପାଳଙ୍କ ଅଧୀନରେ ଏକ ମନୋନୟନ କମିଟି ଗଠନ କରାଯିବ। ହିତାଧିକାରୀ ମନୋନୟନ ପରେ ବିଡ଼ିଓଙ୍କ ଜରିଆରେ ସହାୟତା ପ୍ରଦାନ କରାଯିବ। ଓଡ଼ିଶାର ହସ୍ତଶିଳ୍ପ ସାରା ବିଶ୍ବରେ ଓଡ଼ିଶା ପାଇଁ ସୁନାମ ଆଣିଛି। ଏଥିରେ କାରିଗରମାନଙ୍କ ସୃଜନଶୀଳତା ସହିତ ଆମ ମହାନ ସଂସ୍କୃତି ଓ ପରମ୍ପରାର ସୁନ୍ଦର ଉପସ୍ଥାପନ ମଧ୍ୟ ଦେଖିବାକୁ ମିଳିଥାଏ। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଅନେକ ସମ୍ମାନ ପ୍ରଦାନ କରୁଛନ୍ତି। କଳା ପ୍ରତି ସମର୍ପିତ ଏହି କାରିଗରମାନଙ୍କ ମଧ୍ୟରେ ଅନେକ ଅର୍ଥାଭାବ ମଧ୍ୟରେ ରହୁଛନ୍ତି।