ସନ୍ଦେହଜନକ ଅବସ୍ଥାରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କଲମପୁର/ମୁଖିଗୁଡା :ଶୁକ୍ରବାର ସକାଳେ ମୁଖିଗୁଡା ସ୍ଥିତ ଇନ୍ଦ୍ରବାତୀ ଜଳ ସେଚନ ପ୍ରକଳ୍ପର ଏକ ସରକାରୀ ବାସ ଭବନରୁ ସନ୍ଦେହ ଜନକ ଅବସ୍ଥାରେ ଥିବା ଜନୈକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଆଇସିଆର-୧ସରକାରୀ ବାସ ଭବନରେ ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ରଞ୍ଜିତ କୁମାର କାର୍ଜୀ ରହୁଥିଲେ। ଶୁକ୍ରବାର ସେ ଆଉ ଘରୁ ବାହାରକୁ ବାହାରିନଥିଲେ। ଏନେଇ ଜୟପାଟଣା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ଖୋଲିଥିଲା। କବାଟ ଖୋଲିଲା ପରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜୀଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ରହିଥିଲା। ଜୟପାଟଣା ପୁଲିସ ତୁରନ୍ତ ମୃତଦେହକୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା।

ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜୀ ମୁଖିଗୁଡା ଠାରେ ଏକାକୀ ରହୁଥିବା ବେଳେ ତାଙ୍କ ପରିବାର ଲୋକ ଗଜପତି ଜିଲା ପାରଳାଖେମୁଣ୍ଡିରେ ରହୁଛନ୍ତି ବୋଲି ତାଙ୍କର ସହକର୍ମୀ ସୂଚନା ଦେଇଛନ୍ତି। ପରିବାର ସଦସ୍ୟ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ। ତେବେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ରଞ୍ଜିତ କୁମାର କାର୍ଜୀଙ୍କ କେଉଁ କାରଣରୁ ମୃତ୍ୟୁ ହେଇଛି ସେନେଇ କୌଣସି ସୂଚନା ମିଳି ପାରିନାହିଁ।

Comments are closed.