୫ଟି ଥାନା ଅଞ୍ଚଳରୁ ୧୦ ହଜାର ୮୫୨ କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

ଡେସ୍କ: କନ୍ଧମାଳ ଜିଲ୍ଲା ପୁଲିସ ୫ଟି ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୮୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପ୍ରଥମ ଥର ପାଇଁ ପୁଲିସ ଏକକାଳୀନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି।

କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ, କନ୍ଧମାଳ ଏସପି ବି. ସି. ହରିଶ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଦାରୁଗୋଣ୍ଡା ଘାଟି ନିକଟ ଜଙ୍ଗଲରୁ ୬୫୨୦ କେଜି, ଫିରିଙ୍ଗିଆ ଥାନା ଅଧୀନରେ ଥିବା କାସିନପଦର ଗ୍ରାମ ପଞ୍ଚାୟତର ମାଜିପଡ଼ା ଜଙ୍ଗଲରୁ ୧୫୨୦ କେଜି, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରୁଜୁ ଗ୍ରାମ ପଂଚାୟତ ମିନିଆକଟି ଜଙ୍ଗଲରୁ ୨୦୫୨ କେଜି., ବାଲିଗୁଡ଼ା ଥାନା ଅଧୀନ ଜାକ୍ରିପଦା ଜଙ୍ଗଲରୁ ୬୫୦ କେଜି, ଟିକାବାଲି ଥାନା ଅନ୍ତର୍ଗତ ସୁନାପଙ୍ଗା ଗ୍ରାମ ନିକଟରୁ ୧୧୦ କେଜି ଜବତ କରାଯାଇଛି। ସମୁଦାୟ ୧୦, ୮୫୨ କେଜି ଜବତ କରା ଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଛି।

ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ସୂଚନା ଯୋଗ୍ୟ ଯେ, ନିଶା ବେପାରୀ ମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଏହି ଗଞ୍ଜେଇ ରଖି ଚୋରା ଚାଲାଣ କରୁଛନ୍ତି।

Comments are closed.