ମୌସୁମୀ ଅଧିବେଶନରେ ଆସିବ ଡିଏନ୍‌ଏ ପ୍ରୋଫାଇଲିଂ ବିଲ୍‌

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଧାର କାର୍ଯ୍ୟକ୍ରମରେ ଲୋକଙ୍କ ଡିଏନ୍‌ଏ ପ୍ରୋଫାଇଲିଂ(ପରିଚୟ ସମ୍ବନ୍ଧୀୟ ସୂଚନା ସାରଣୀ) ସଂକ୍ରାନ୍ତ ବିଧେୟକ ସଂସଦର ଆସନ୍ତା ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବେ। ଆଧାର କାର୍ଯ୍ୟକ୍ରମ ଅନୁସାରେ ଏହି ବିଧେୟକକୁ ସଂଶୋଧନ କରାଯାଇଥିବା ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି। ଲୋକନୀତି ଫାଉଣ୍ଡେସନ୍‌ ପକ୍ଷରୁ ୨୦୧୨ରେ ଦେଶର ବିଭିନ୍ନ ସ୍ଥାନରୁ ମିଳୁଥିବା ହଜାର ହଜାର ଅଜ୍ଞାତ ତଥା ଦାବିଦାର ନଥିବା ବ୍ୟକ୍ତିବିଶେଷଙ୍କ ମୃତଦେହର ଚିହ୍ନଟ ପାଇଁ ଡିଏନ୍‌ଏ ପ୍ରୋଫାଇଲିଂ କରାଯିବା ସମ୍ପର୍କିତ ଆଗତ ଏକ ମାମଲାର ଶୁଣାଣିବେଳେ ସରକାର ଏହା ଜଣାଇଛନ୍ତି। ମାମଲାର ବିଚାର କରୁଥିବା ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷ ଥିବା ତିନିଜଣିଆ ପୀଠ ସରକାରଙ୍କ ଜବାବ ପରେ ମାମଲାର ଅନ୍ତ ଘଟାଇଛନ୍ତି। ପୀଠ ଦର୍ଶାଇଛନ୍ତି ଯେ ସରକାର ହିଁ ଏ ବାବଦ ନିଷ୍ପତ୍ତି ପାଇଁ ଉପଯୁକ୍ତ। ସରକାର ଯଥାସମ୍ଭବ ଶୀଘ୍ର ଏ ସଂକ୍ରାନ୍ତ ଆଇନ ଆଣିବା ଉଚିତ। ଆବଶ୍ୟକ ପଡ଼ିଲେ ଆବେଦନକାରୀ ଏ ନେଇ ପୁନର୍ବାର ଅଦାଲତଙ୍କ ଦୃଷ୍ଟିକୁ ଏହା ଆଣିପାରିବେ। ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ୨୦୧୪ରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ଅଧୀନସ୍ଥ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଏକ ସତ୍ୟପାଠ ଜରିଆରେ ଏ ନେଇ କାର୍ଯ୍ୟ ଚାଲିଥିବା କୋର୍ଟଙ୍କୁ ଜଣାଇଥିଲେ। ଏ ନେଇ ସରକାର ନ୍ୟାସନାଲ ଡିଏନ୍‌ଏ ଡାଟା ବ୍ୟାଙ୍କ ଓ ଡିଏନ୍‌ଏ ପ୍ରୋଫାଇଲିଂ ବୋର୍ଡ ଗଠନ କରିବା ସହ ସ୍ୱତନ୍ତ୍ର ଆଇନ ଆଣିବାକୁ ବିଶେଷଜ୍ଞମାନଙ୍କ ମତ ଲୋଡ଼ିଥିଲେ। ୨୦୧୭ରେ ଆଇନ ଆୟୋଗ ଏ ନେଇ ଏକ ଚିଠା ବିଧେୟକ ପ୍ରସ୍ତୁତ କରି ଆଇନ ମନ୍ତ୍ରଣାଳୟକୁ ପଠାଇଥିଲେ। ଏହାର ପରୀକ୍ଷାନିରୀକ୍ଷା ପରେ ଚିଠା ପ୍ରସ୍ତାବରେ କିଛିଟା ସଂଶୋଧନ କରାଯାଇଛି।

Leave A Reply