mission shakti banner

ସକ୍ରିୟ ହେବ ମୌସୁମୀ

nua o banner

ଭୁବନେଶ୍ବର: ଅଗଷ୍ଟ ପହିଲାରୁ ଏଯାବତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ବର୍ଷା ପରିମାଣ କମିଛି। ରାଜ୍ୟରେ ନିଅଣ୍ଟିଆ ବର୍ଷା ବଢ଼ି ଚାଲିଛି। ମୁଖ୍ୟତଃ ଚାଷ କାର୍ଯ୍ୟ ଅଧିକ ପ୍ରଭାବିତ ହୋଇଛି। ଏହି ପରିସ୍ଥିତି ଆଗକୁ ଆଉ ଦୁଇଦିନ ଲାଗି ରହିପାରେ। ପରବର୍ତ୍ତୀ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ନିଷ୍କ୍ରିୟ ମୌସୁମି ସକ୍ରିୟ ହେବ। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଅଗଷ୍ଟ ୧୫ ପରେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ୧୬ ଓ ୧୭ ତାରିଖ ବେଳକୁ ଧୀରେ ଧୀରେ ଲଘୁଚାପରେ ପରିଣତ ହେବ। ଓଡ଼ିଶାରେ ଭଲ ବର୍ଷିବ। ଅଭାବୀ ବର୍ଷା ଭରଣା କରିପାରିବ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ପଶ୍ଚିମ ନିମ୍ନଚାପ ରେଖା ବିହାର ଓ ପୂର୍ବ ଉତ୍ତରପ୍ରଦେଶ ଆଖପାଖ ଅଞ୍ଚଳରୁ ବାହାରି ଝାଡ଼ଖଣ୍ଡ ଓ ଉପକୂଳ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ସମୁଦ୍ରପତ୍ତନରୁ ୩.୧ କିମି ଉଚ୍ଚରେ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, କନ୍ଧମାଳ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Comments are closed.