ଭିଡିଓ ବାର୍ତ୍ତାରେ ଭୋଟରଙ୍କ ସମର୍ଥନ ଲୋଡିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ପୁରୀ ଓ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭିଡିଓ ମାଧ୍ୟମରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ପୁରୀ ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଅରୂପ ପଟ୍ଟନାୟକ ଜଣେ ସମାଜସେବୀ ଏବଂ ଭଲ ମଣିଷ। ସେ ନିଜ ସାମର୍ଥ୍ୟରେ ଅନେକ କର୍କଟ ରୋଗୀଙ୍କ ସେବା କରିଛନ୍ତି। ଆଜି ସେ ନିଜ ଜନ୍ମସ୍ଥାନ ପୁରୀକୁ ଲୋକଙ୍କ ସେବା କରିବାକୁ ଆସିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ପୁରୀରେ ମେଟ୍ରୋ, ଅନ୍ତର୍ଜାତୀୟ ବିମାନବନ୍ଦର ଭଳି ଆହୁରି ବି ବଡ଼ ପ୍ରକଳ୍ପ ଆଣି ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରିବା ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି କାମ କରିବେ। ଆମ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିବାରେ ମୋତେ ସହଯୋଗ କରିବେ। ତେଣୁ ଅରୂପ ପଟ୍ଟନାୟକଙ୍କୁ ବିପୁଳ ସମର୍ଥନ ଦେଇ ଆଶୀର୍ବାଦ କରିବାକୁ ବିଜେଡି ସୁପ୍ରିମୋ ନିବେଦନ କରିଛନ୍ତି। ସେହିପରି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମ ଦଳର ପ୍ରାର୍ଥୀ ମନ୍ମଥ ରାଉତ ଜଣେ ସଫଳ ପାଇଲଟ ଥିଲେ। ଆଜି ରାଜଧାନୀବାସୀଙ୍କ ସେବା କରିବା ପାଇଁ ଭୁବନେଶ୍ବର ମାଟିକୁ ଫେରି ଆସିଛନ୍ତି। ଏବେ ରାଜନୀତିରେ ଯୁବପିଢ଼ିଙ୍କ ଯୋଗଦାନ ବହୁ ଅଧିକ ରହିଛି। ମନ୍ମଥ ଏହି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ ବିଜେପିର ସାଂସଦ ଭୁବନେଶ୍ବରରେ କୌଣସି ବଡ଼ କାମ କରିନାହାନ୍ତି। ଏକାମ୍ର ପ୍ରକଳ୍ପକୁ ବାରମ୍ବାର ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ମନ୍ମଥ ଭୁବନେଶ୍ବର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି କାମ କରିବେ। ଭୁବନେଶ୍ବରକୁ ବିଶ୍ବସ୍ତରୀୟ ସହର ଭାବରେ ଗଢ଼ିବାରେ ମୋତେ ସହଯୋଗ କରିବେ। ସେଥିପାଇଁ ମନ୍ମଥଙ୍କୁ ଆଶୀର୍ବାଦ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।
Comments are closed.