୩ ମାସରେ ପଇସା ଡବଲ ଲୋଭ ଦେଖାଇ ୮୨ ଲକ୍ଷ ଠକେଇ
ଗୁଣପୁର : ରାୟଗଡା ଜିଲା ଗୁଣୁପୁର ଆଦର୍ଶ ଥାନାରେ ମଙ୍ଗଳବାର ଦିନ ଅର୍ଥ କାରବାର ନେଇ ନେଇ ଏକ ମାମଲା ରୁଜୁ ହୋଇଛି। ତିନି ମାସରେ ଟଙ୍କା ଦୁଇଗୁଣ ହେବାର ପ୍ରଲୋଭନ ଦେଖାଇ ଠକେଇ ହୋଇଛି। ନୀରିହ ଲୋକଙ୍କ ସରଳତାର ଫାଇଦା ଉଠାଇ ଜନୈକ ବ୍ୟକ୍ତି ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି। ୪୫ ଜଣଙ୍କଠାରୁ ପାଖାପାଖି ୮୨ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜନୈକ ବ୍ୟକ୍ତି ତିନି ମାସରେ ଦ୍ବିଗୁଣିତ ହେବାର ପ୍ରଲୋଭନ ଦେଖାଇ ଠକିନେଇଛନ୍ତି ।
ପୁରୁଣା ଗୁଣପୁରଠାରେ ଓ୍ବେ ଟୁ ଏଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ରହିଛି। ଏହି କମ୍ପାନୀ ପକ୍ଷରୁ ହର ପ୍ରସାଦ ମହାକୁଡ ନାମକ ଜଣେ ବ୍ୟକ୍ତି ଗୁଣୁପୁର ଥାନା ଅଧିନରେ ଥିବା ଦଶରଥପୁର ଗ୍ରାମକୁ ଯାଇ ଏହି ଟଙ୍କା ଆଦାୟ କରୁଥିଲେ। ଏହିଭଳି ଦୁଇବର୍ଷ ଧରି ନେଣଦେଣ କରୁଥିଲେ। ଏହାପରେ କିଛିମାସ ହେବ ଏହି ନୀରିହ ଆଦିବାସୀମାନଙ୍କୁ ବିଭିନ୍ନ ବ୍ୟାଙ୍କରୁ ଲୋନ ଆଣି ଟଙ୍କା ଦେବାକୁ କହିଥିଲେ। ଦ୍ବିଗୁଣିତ ହେଲେ ବ୍ୟାଙ୍କ୍ ଗୁଡିକରେ ଟଙ୍କା ପରିଶୋଧ କରିଦେବ କହିଥିଲେ। ଲୋକେ ବିଶ୍ବାସ କରି ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଉଠାଇ ହର ପ୍ରସାଦଙ୍କୁ ଦେଇଥିବା ଜଣାପଡିଛି। ବର୍ତ୍ତମାନ ଏହି ବ୍ୟକ୍ତି ଜଣକ ଟଙ୍କା ଫେରାଉନଥିବା ଅଭିଯୋଗ ହେଉଛି । ଅନ୍ୟପଟେ କମ୍ପାନୀରେ ତାଲା ଝୁଲୁଛି । ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକାମୀର ଶିକାର ଲୋକେ । ଅନ୍ୟପଟେ ଅଭିଯୋଗ ହେଲେ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ।
Comments are closed.