ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ପାଠାଗାର, ୬୦ ବର୍ଷ ହେଲା ‘ସମାଜ’ ପଢ଼ିବାରେ ରୁଚି ରଖିଛନ୍ତି ପାଠକ

ଫୁଲବାଣୀ : ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ହେଲାଣି, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଓ ଏହାର ପାଠାଗାର ଚଳଚଞ୍ଚଳ ହୋଇ ରହିଆସିଛି। ସେହିସମୟରେ ଖବରକାଗଜ ‘ସମାଜ’ ପାଠକୀୟ ମହଲରେ ବେଶ ଆଦୃତି ଲାଭ କରିଥିଲା। ନିୟମିତ ପାଠାଗାରକୁ ଆସୁଥିବା ବିଭିନ୍ନ ବୟସର ପାଠକ ‘ସମାଜ’ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଥିଲେ। କେବଳ ଖବର ନୁହଁ, ଏଥିରେ ପ୍ରକାଶିତ ପ୍ରବନ୍ଧ, ସାହିତ୍ୟ,ବିଜ୍ଞାନ ଓ ସର୍ବୋପରି ଏହାର ସଂପାଦକୀୟ ପଢ଼ିବାରେ ସେମାନେ ରୁଚି ରଖୁଥିଲେ।

ଗାନ୍ଧିଜୀଙ୍କ ବିଚାରଧାରା ପ୍ରତି ଆଦରଭାବ ରଖିଥିବା ଏହି ଅନୁଷ୍ଠାନର ଶତାଧିକ ସଦସ୍ୟ ଓ ପାଠକଙ୍କ ଆଗ୍ରହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଖବରକାଗଜ ‘ସମାଜ’କୁ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ପିଢି ପରେ ପିଢି ଏହି ଅନୁଷ୍ଠାନରେ ବସି ପଢ଼ିଆସୁଛନ୍ତି ଓ ସେହି ବିଚାରଧାରାକୁ ସମ୍ମାନ ଦେଇ ଆସୁଛନ୍ତି। ଏହି ଅନୁଷ୍ଠାନ ପ୍ରତିବର୍ଷ ସାହିତ୍ୟ ଚର୍ଚ୍ଚା ଓ ସାଂସ୍କୃତିକ ଉତ୍ସବ, ସେବା କାର୍ଯ୍ୟକ୍ରମ ସହିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିଚାରଧାରା ପ୍ରସାରିତ କରିଆସୁଛି।

ପ୍ରତିଦିନ ପାଠାଗାରରେ ଖବରକାଗଜ ‘ସମାଜ’ର ଉପସ୍ଥିତି ଆମକୁ ‘ସମାଜ’ ପରିବାର ସହ ଏବଂ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଆଦର୍ଶ ସହ ବାନ୍ଧି ରଖିଛି ବୋଲି ମୋହନଦାସ କରମଚାନ୍ଦା ସାଂସ୍କୃତିକ ପରିଷଦର ସଭାପତି ବିଜୟକୃଷ୍ଣ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଗାମି ଦିନରେ ‘ସମାଜ’ ସହିତ ଏହି ସଂପର୍କ ଜାରି ରହିବ ବୋଲି ପରିଷଦର ଅନ୍ୟ ସଦସ୍ୟ ଓ ସଦସ୍ୟାମାନେ ମତପୋଷଣ କରିଛନ୍ତି।

Comments are closed.