ଅର୍ଥ ସାଜିଛି ବାଧକ, ସରକାରୀ ସହାୟତାକୁ ଅପେକ୍ଷା
ମୋହନା: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି ହେଲେ ସେହି ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳରେ ପହଞ୍ଚାଇବାରେ ବିଫଳ ହେଉଛି ପ୍ରଶାସନ । ସେହି ଯୋଜନା ମଧ୍ୟରୁ ନିରାମୟ ଯୋଜନା ଅନ୍ୟତମ ରହିଛି । ଏହି ଯୋଜନାରେ ରାସନ କାର୍ଡଧାରୀ ଗରିବ ପରିବାରକୁ ମାଗଣାରେ ଔଷଧ ଓ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଏ । ତାହା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ମାଗଣାରେ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଉଛି । ହେଲେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଏବେ ମରଣ ସହ ଲଢୁଛନ୍ତି ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତ ଅଧିନ ଶୁଖିଲା ଆମ୍ବ ଗ୍ରାମର ସୁବାଷିନୀ ନାୟକ । ବୟସ ମାତ୍ର (୫୨) ପରିବାର କହିଲେ ସ୍ଵାମୀ ଓ ଦୁଇଟି ସନ୍ତାନ । ପୁଅକୁ ୧୩ ବର୍ଷ ହୋଇଥିବା ବେଳେ ଝିଅକୁ ୬ବର୍ଷ ।
ପରିବାର ପ୍ରତି ପ୍ରତିପୋଷଣ ପାଇଁ ଗତ ବର୍ଷ ଖରା ଦିନେ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇଥିଲେ। ଫେରିବା ବେଳେ ରାସ୍ତାରେ ପଡି ଅଚେତ ହୋଇ ପଡି ରହିଥିବା ବେଳେ ଖବର ପାଇ ସ୍ୱାମୀ ଖଦାଳ ନାୟକ (୫୭) ତାଙ୍କୁ ସେଠାରୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ଭଲ ନହେବାରୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ,ଗୁଣିଆଁ, ଜାନୀଙ୍କୁ ଦେଖାଇ ବହୁ ଅର୍ଥ ଖର୍ଚ୍ଚ କରି ସାରିଲେଣି । ଶେଷରେ ଘରର ହାଣ୍ଡି ,ସୁନା, ରୁପା ଯାହାଥିଲା ସେ ସବୁକୁ ବିକ୍ରିବଟା କରି ଚିକିତ୍ସା ପାଇଁ ଅନେକ ସ୍ଥାନ ଘୁରି ବୁଲିଲେଣି । ଶେଷରେ ନିରାଶ ହୋଇ ସ୍ତ୍ରୀକୁ ଘରେ ରଖି ଚିନ୍ତାରେ ରହୁଥିବା ବେଳେ ସୁବାଷିନୀଙ୍କ ଡାହାଣ ହାତରୁ ମାଂସ ଖସିବାରେ ଲାଗିଲାଣି । ବିଛଣାରେ ପଡି ଜୀବନ ସହ ସଂଗ୍ରାମ କରୁଛନ୍ତି ସୁବାଷିନୀ । ହାତରେ ଖାଇବା ପାଇଁ ସକ୍ଷମ ନଥିବାରୁ ନିଜ ସମ୍ପର୍କୀୟଙ୍କୁ ଡାକି ସେବା କରାଉଛନ୍ତି ଖଦାଳ । ସ୍ତ୍ରୀ ଅବସ୍ଥା ଗୁରୁତର ଥିବା ବେଳେ ପିଲାକୁ ପାଠ ପଢ଼ାଇବା ଓ ପରିବାର ଚଳାଇବା କାଠିକରପାଠ ହୋଇପଡିଛି । ସରକାରୀ ସହାୟତା ଅପେକ୍ଷାରେ ଖଦାଳଙ୍କ ପରିବାର । ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
Comments are closed.